ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ହୃଦ୍ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ଏବଂ ରକ୍ତଦାତାଙ୍କ ରକ୍ତଚାପ ସ୍ତର ସନ୍ତୁଳିତ ରହିଥାଏ । ଏହି ଲକ୍ଷ୍ୟ ନେଇ କିମ୍ସ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରକ୍ତଦାନର ସକାରାତ୍ମକ ଦିଗ ଉପରେ ଆଲୋକପାତ କରି କିମସ୍ ଭୁବନେଶ୍ୱର ରକ୍ତ ଭଣ୍ଡାରର ମୁଖ୍ୟ ଡା ସୁକାନ୍ତ ତ୍ରିପାଠୀ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ନିବେଦନ କରିଛନ୍ତି । ଜଣେ ନିୟମିତ ରକ୍ତଦାତାଙ୍କଠାରେ ରକ୍ତଚାପ, ହୃଦଘାତର ଆଶଙ୍କା କମ୍ ଦେଖାଦେଇଥାଏ ଏବଂ ଶରୀରରେ ଲୌହ ସ୍ତର, କୋଲେଷ୍ଟ୍ରଲସ୍ତର ନିୟନ୍ତ୍ରଣ ରହିଥାଏ । ଅପରପକ୍ଷରେ ରକ୍ତଦାନ ପୂର୍ବରୁ ଦାତାମାନେ ଅନେକ ବ୍ୟୟ ବହୁଳ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ ପାଇଥାନ୍ତି ବୋଲି ଡ଼ାକ୍ତର ତ୍ରି୍ପାଠୀ କହିଛନ୍ତି । ୨୦୨୧ରେ ଓଡ଼ିଶାରେ ୬୬.୭୬ ପ୍ରତିଶତ ୟୁନିଟ ରକ୍ତ ସ୍ୱେଚ୍ଛକୃତ ଦାନ ମାଧ୍ୟମରେ ବର୍ଷକ ମଧ୍ୟରେ ସମୁଦାୟ ୪,୮୭,୦୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେଥିରୁ ୩,୨୫,୧୩୯ ୟୁନିଟ ସ୍ୱେଚ୍ଛାକୃତ ଦାତା ଦାନ କରିଥିଲେ ଏବଂ ଅବଶିଷ୍ଟ ରିପ୍ଲେସମେଂଟ ଦାତା ମାନେ ଦେଇଥିଲେ ବୋଲି ଡା ତ୍ରିପାଠୀ ସୂଚନା ଦେଇଛନ୍ତି । ବଢ଼ୁଥିବା ଚାହିଦାକୁ ପୂରଣ କରିବା ଲାଗି ଅଧିକ ସଂଖ୍ୟାରେ ଲୋକଙ୍କୁ ରକ୍ତ ଦାନ ନିମନ୍ତେ ସଚେତନ କରାଯିବା ଦରକାର । କରୋନା ମହାମାରୀ ସମୟରେ ପ୍ରତ୍ୟେକ ରକ୍ତ ଭଣ୍ଡାରରେ ରକ୍ତ ସମସ୍ୟା ଦେଖା ଦେଇଥିବାରୁ ଚଳିତ ବର୍ଷ ରକ୍ତଦାତା ଦିବସ ଗୁରୁତ୍ୱ ବହନ କରିବ । ଏହି ଦିନର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକଙ୍କ ମଧ୍ୟରେ ରକ୍ତ ଦାନ ନେଇ ସଚେତନତା ସୃଷ୍ଟି କରିବା ।
୨୦୦୬ ରେ କିମ୍ସ ଭୁବନେଶ୍ୱରରେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ କାର୍ଯ୍ୟକ୍ଷମ ହେବା ପରେ କିମସ୍ ବ୍ଲଡ ସେଂଟର ପୁନଃ ନାମିତ ହୋଇଥିଲା । ଏଠାରେ ସ୍ଥାପିତ ହୋଇଥିବା ଆଧୁନିକ ଯନ୍ତ୍ରାଂଶ ଜରିଆରେ ଗ୍ରହଣ କରାଯାଇଥିବା ରକ୍ତ ୟୁନିଟ୍ରୁ ପ୍ଳାଜମା, ପ୍ଲେଟଲେଟ, ଶ୍ୱେତ ରକ୍ତ କଣିକା ଏବଂ ଲୋହିତ ରକ୍ତ କଣିକାକୁ ପୃଥକ କରିଥାଏ । ଯାହାକି ଅନେକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ହୁଏ । ଜଣେ ବ୍ୟକ୍ତି ରକ୍ତ ଦାନ କଲେ ୬ ଜଣ ବ୍ୟକ୍ତିଙ୍କ ଜୀବନ ବଂଚାଇ ପାରିବ । କିମସ୍ ଭୁବନେଶ୍ୱରର ରକ୍ତ ଭଣ୍ଡାର ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ଥିବା ଡ଼ାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକ ସମୟରେ ସହଯୋଗ କରି ଆସୁଛି।