ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରାଯାଇଛି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩୧ ତାରିଖରେ ୨୭୯ ଗୋଟି ବୁଥରେ ସକାଳ ୭ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଆଜିଠାରୁ ସମସ୍ତ ପୁଲିଂ ପାର୍ଟି ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀ ଧରି ନିଜ ନିଜର ବୁଥ ମୁହାଁ ହୋଇଥିବା ବେଳେ ଏଥି ନିମନ୍ତେ ସଂରକ୍ଷିତ କର୍ମଚାରୀଙ୍କୁ ମିଶାଇ ମୋଟ ପ୍ରାୟ ୧୨୨୮ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସମଗ୍ର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍ରେ ସମୁଦାୟ ୯୭୦ ଜଣ ସୁରକ୍ଷା କର୍ମଚାରୀ ଏବଂ ତିନି କମ୍ପାନୀ କେନ୍ଦ୍ରୀୟ ପୋଲିସ ଦଳଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଉପନିର୍ବାଚନରେ ୧୧୦୦୫୦ ଜଣ ପୁରୁଷ , ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୨୧୪୮୭୮ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ପୋଲିସ ପ୍ରଶାସନ ଦ୍ଵାରା ଚିହ୍ନଟ ହୋଇଥିବା ୬୦ ଗୋଟି ଉତ୍ତେଜନାପ୍ରବଣ ବୁଥ୍ରେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେସବୁ ବୁଥ୍ରେ ୫୦ ଜଣ ମାଇକ୍ରୋ ଅବଜରଭରଙ୍କ ସହ ଅତିରିକ୍ତ କେନ୍ଦ୍ରୀୟ ପୋଲିସବଳଙ୍କୁ ନିଯୁକ୍ତି ସହ ୱେବ୍କାଷ୍ଟିଂ ର ବ୍ୟବସ୍ଥା କରାଯାଇଛି । ସମୁଦାୟ ବୁଥର ୫୦ ପ୍ରତିଶତ ବୁଥରେ ୱେବ୍କାଷ୍ଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି । ନିର୍ବାଚନ ଦିନ ସମଗ୍ର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଡ଼ା ନଜର ରଖିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭୋଟରମାନଙ୍କ ସୁବିଧା ନିମନ୍ତେ ୩୦ ଗୋଟି ମଡେଲ୍ ବୁଥ୍ ସ୍ଥାପନା କରାଯାଇଛି ଓ ସେଠାରେ ଭୋଟରମାନଙ୍କ ପାଇଁ ଟେଣ୍ଟ , ପାନୀୟ ଜଳର ବ୍ୟବସ୍ଥା ଏବଂ ବରିଷ୍ଠ ଭୋଟରମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଧାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ୫ ଗୋଟି ପିକ ବୁଥ୍ ସ୍ଥାପନ କରାଯାଇଛି , ଯେଉଁଠାରେ କେବଳ ମହିଳା କର୍ମଚାରୀମନେ ଭୋଟଗ୍ରହଣ କାର୍ଯ୍ୟ ସଂପାଦନ କରିବେ । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସବୁ ବୁଥ୍ରେ ନ୍ୟାମ୍ପ , ଓ୍ବିଲ୍ଚେୟାର ସହ ସ୍ଵେଚ୍ଛାସେବକମାନଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ ଭୋଟର , ଯେଉଁମାନେ କି ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ ଦେବା ପାଇଁ ପସନ୍ଦ କରିଥିଲେ ସେମାନଙ୍କ ମଧ୍ୟରୁ ୩୧୨ ଜଣ ଯୋଗ୍ୟ ଭୋଟର ମତଦାନ କରିଛନ୍ତି ଓ ସେସବୁଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ସୁରକ୍ଷିତ ଭାବେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଉପନିର୍ବାଚନ ପ୍ରଚାର ଶେଷ ହେବ ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା , ତାରକା ପ୍ରଚାରକ ଓ ଅନ୍ୟ ଯେକୌଣସି ବ୍ୟକ୍ତି , ଯେଉଁମାନେ କି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି , ସେମାନେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଜି ସନ୍ଧ୍ୟା ୬ଟା ପରେ ରହିପାରିବେ ନାହିଁ ଏବଂ ଜିଲ୍ଲାରେ ଥିବା ସମସ୍ତ ହୋଟେଲ୍ , ଲଜ୍ , ଗେଷ୍ଟହାଉସ୍କୁ ତନଖ୍ କରିବା ପାଇଁ ଜିଲ୍ଲାର ଜିଲ୍ଲାପାଳ , ଅରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏତଦ୍ବ୍ୟତୀତ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଜିଲ୍ଲାରେ ଥିବା ସମସ୍ତ ମଦଦୋକାନକୁ ସିଲ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।