ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ରବିବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ଭଉଁରି ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଥିବା ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆଜି ସମ୍ପୂର୍ଣ୍ଣ ହେବ । ପରମ୍ପରା ଅନୁଯାୟୀ ଏହି ତିଥ୍ୟରେ ତିନିରଥର ତିନୋଟି ଅଖରେ ୬ଟି ଚକ ଡେରାଯିବ । ଏଥିପାଇଁ ରଥଖଳା ସମେତ ଅଖ ଓ ଚକ ପ୍ରସ୍ତୁତ ହୋଇ ରହିଛନ୍ତି । ତିନିରଥର ୪୨ ଚକ ମଧ୍ୟରୁ ଶନିବାର ସନ୍ଧ୍ୟାସୁଦ୍ଧା ୧୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୪ଟି ଲେଖାଏ ଭୂଇଁଚଉତା କାଠ ଚଉପଟ କରାଯାଇଛି । ଦୁଇଟି ଲେଖାଏ ମୁହାଣ୍ଟ ଶେଷ ହୋଇଥିବା ବେଳେ ୩ଟି ଅଖ ମଧ୍ୟ ନିର୍ମାଣ ସରିଛି ।
ଅନ୍ୟ ତୁମ୍ବ ଗୁଡିକରେ ମହାରଣା ସେବକ ଅର ଏବଂ ପହି ସଂଯୋଗ କରିଛନ୍ତି । କଟକ ଖପୁରିଆ କରତକଳରୁ ପହି ଏବଂ ଅରକାଠ ଆସି ପହଞ୍ଚିଛି । ତାଳଧ୍ଵଜ ରଥର ୭ଟି ଚକ ନିର୍ମାଣ ଶେଷ ହୋଇଛି । ଆଉ ଦୁଇଟି ତୁମରେ ଅର ସଂଯୋଗ କରାଯାଇଛି । ଦେବଦଳନ ରଥର ୫ଟି ଚକ ନିର୍ମାଣ ସରିଥିବା ବେଳେ ୩ଟି ତୁମରେ ପହି ଏବଂ ଅର ଲଗା ଯାଉଛି । ନନ୍ଦିଘୋଷ ରଥର ୭ଟି ଚକ ନିର୍ମାଣ ଶେଷ ହୋଇଛି । ଅନ୍ୟ ତୁମ୍ ଗୁଡିକରେ ଅର ଏବଂ ପହି ଲଗା ଯାଉଛି । ରୂପକାର ସେବକମାନେ ଗୁଜ ଗୁଡିକରେ ନୃସିଂହ ମୂର୍ତ୍ତି ଏବଂ ସିଂହବିରାଳ ଖୋଦେଇ କରୁଛନ୍ତି ।