ସନଷ୍ଟାର ଟିଭି ବ୍ୟୁରୋ
ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ କୁ ମିଳିଛି ବଡ଼ ଧରଣର ସଫଳତା । ଗତ ୨୬ ତାରିଖରେ ଗୁଣୁପୁର ଏସ ଏସ ଜୁଏଲେରୀ ମାଲିକ ଏସ ବାବା ପ୍ରସାଦ ନିଜ ଦୋକାନ ଖୋଲିବାକୁ ଯାଉଥିବା ବେଳେ ଏକ କଳା ପଲସର ବାଇକ ରେ ଦୁଇଜଣ ଦୁର୍ବୃତ୍ତ ତାଙ୍କଠାରୁ ଏକ ବ୍ୟାଗ ଝାମ୍ପି ନେଇ ଚାଲିଯାଇଥିଲେ । ବ୍ୟାଗରେ ୩ କେଜି ଓଜନ ର ସୁନା ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଥିବା ବ୍ୟବସାୟୀ ଜଣକ ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ପ୍ରାଥମିକ ତଦନ୍ତ କରି ଏଥିରେ ବଡ଼ ଧରଣର ଗ୍ୟାଙ୍ଗ ଥିବା ଅନୁମାନ କରି ୩ଟି ଟିମ ଗଠନ କରି ଗଞ୍ଜାମ, ଗଜପତି ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ାଉ ଜାରି ରଖିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ୨ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଅଞ୍ଚଳର ତରୁଣ ଦାସ ଓ ଯାଜପୁର ଅଞ୍ଚଳ ର ଅର୍ଜ୍ଜୁନ ପ୍ରଧାନ । ସେମାନଙ୍କ ଠାରୁ ୧କେଜି ୪୦୦ଗ୍ରାମ ସୁନା ଗହଣା ଓ ଚୋରି ରେ ବ୍ୟବହୃତ ପଲସର ବାଇକ କୁ ଜବତ କରାଯାଇଛି । ଜବତ ସୁନା ଗହଣା କୁ ଜୁଏଲାରୀ ମାଲିକଙ୍କୁ ପ୍ରଦାନ କରାଯାଇଛି । ତେବେ ଏଥିରେ ଆଉ ଦୁଇଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ ସମସ୍ତ ଚୋରି ଅଳଙ୍କାର ଉଦ୍ଧାର କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ।(ରିର୍ପୋଟ:ସୁରେନ୍ଦ୍ର ମହାନ୍ତି)