ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଅଗ୍ନିକାଣ୍ଡ ବେଳେ ଅନେକ ସମୟରେ ଦେଖାଯାଏ ଯେ, ଅଗ୍ନିଶମ ବାହିନୀକୁ ପହଞ୍ଚିବା ସମ୍ଭବପର ହୋଇନଥାଏ । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୀବନକୁ ବାଜି ଲଗାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥାନ୍ତି , ହେଲେ କିଛି ଘଟଣାରେ ଆହତ ହେବାର ଉଦାହରଣ ରହିଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ବର୍ତ୍ତମାନ ନୂଆ ଉପାୟ ବାହାର କରିଛି ଅଗ୍ନିଶମ ବାହିନୀ । ‘ରୋବୋଟିକ୍ ଫାୟାର ଫାଇଟିଂ ସିଷ୍ଟମ’ ଦ୍ୱାରା ଅଗ୍ନିଶମ ପ୍ରତିହତ କରିବାକୁ ଯୋଜନା ରଖିଛି ।
ବୁଧବାର ଦିନ ଭୂବନେଶ୍ଵର ସ୍ଥିତ ଥିବା ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସ୍ପୋନ୍ସ ଏକାଡେମୀ (ଓଫଡ୍ରା)ରେ ଏହି ରିମୋଟ୍ ଚାଳିତ ରୋବୋଟିକ୍ ମେସିନ୍ର ଏକ ଡେମୋ ପ୍ରଦର୍ଶନ କାର୍ଯ୍ୟକ୍ରମ ହୋଇଛି । ଅହମ୍ମଦାବାଦରୁ ଆସିଥିବା ଏକ କମ୍ପାନୀ ଅପରାହ୍ଣ ସାଢ଼େ ୩ଟା ବେଳେ ଏହାର ଡେମୋ ଦେଖାଇଛନ୍ତି । ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହିଛନ୍ତି ।
ସୂଚନା ଅନୁଯାୟୀ, ଗୋଟିଏ ରୋବୋଟିକ୍ ମେସିନ୍ର ଦାମ ପାଖପାଖି ୭୦ରୁ ୯୫ ଲକ୍ଷ ଟଙ୍କା । ମେସିନ୍ରେ ହାଇପାୱାର ରିଜୋଲୁସ୍ୟନ୍ର କ୍ୟାମେରା ଖଞ୍ଜା ଯାଇଛି । ଏଥିରେ ପାଣି ସ୍ପ୍ରେ ବ୍ୟବସ୍ଥା ରହିଛି । ଯାହାକି ପାଇପ୍ ଯୋଗେ ପାଣି ଟାଙ୍କି ସହ ଯୋଡ଼ାଯାଇ ପାରିବ । ଏବଂ ଏହାକୁ ରିମୋଟ୍ ଦ୍ୱାରା ପରିଚାଳିତ କରାଯାଇ ପାରିବ । ଏହି ମେସିନ୍ର ବିଶେଷତ୍ୱ ହେଉଛି, ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂର ବିପଦପୂର୍ଣ୍ଣ ଅଞ୍ଚଳକୁ ମଧ୍ୟ ଯାଇପାରିବ । ଅଗ୍ନିଶମ କର୍ମଚାରୀ ରିମୋଟ୍ ଯୋଗେ ଏହାକୁ କଣ୍ଟ୍ରୋଲ କରି ଅପହଞ୍ଚ ସ୍ଥାନରେ ପାଣି ସ୍ପ୍ରେ କରି ନିଆଁ ଲିଭାଇ ପାରିବେ । ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏହି ସିଷ୍ଟମ ଅଗ୍ନିଶମ ବାହିନୀର ମୁଖ୍ୟ ଅସ୍ତ୍ର ପାଲଟିବ । ଡେମୋ ଦେଖିବା ପରେ ନିଆଁ ଲିଭାରେ ମେସିନ୍ଟି କେତେ ପରିମାଣର ସକ୍ଷମ, ତାହାର କ୍ଷମତା ମପାଯିବ । ପରେ ଏହାକୁ ନିଆଯିବ କି ନାହିଁ, ବିଭାଗ ପକ୍ଷରୁ ବିଚାରବିମର୍ଶ କରାଯିବ । ଯଦି ମେସିନ୍ଟି ଉପଯୁକ୍ତ ଲାଗିବ, ଏହାକୁ ଅଗ୍ନିଶମ ବିଭାଗରେ ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।