ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ହାଟରେ ୧୦୪ଟି ଷ୍ଟଲ ରହିଛି । ଜାତୀୟ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ , ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ସ୍ଵତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଜନଜାତି କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି , ଓର୍ମାସ୍ର ୧୫ଟି , ଟିଡିସିସିର ଦୁଇଟି ଷ୍ଟଲରେ ଜନଜାତି ସାମଗ୍ରୀ ବିକ୍ରୟ ହେଉଛି । ଗତକାଲି ଆଦିବାସୀ ମେଳାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧ୍ୟାକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଏବଂ ‘ ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ ମେଳା ବୁଲିବା ସହିତ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଓ ଆଦିବାସୀ ମେଳାକୁ ଭୂୟସୀ ପ୍ରଶଂସା କରିଥିଲେ ।
ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀର ଏକ କୋଣରେ ୬ଟି ଷ୍ଟଲ ମାଧ୍ୟମରେ ଓଡ଼ିଶା ଖଣିଜ ପ୍ରଧାନ ଅଞ୍ଚଳ ବିକାଶ କର୍ପୋରେସନ୍ ଦ୍ଵାରା ସୁନ୍ଦରଗଡ଼ , କେନ୍ଦୁଝର , ମୟୂରଭଞ୍ଜ ଓ ଯାଜପୁର ଅଞ୍ଚଳର ବିସ୍ଥାପିତ ଭୂମିହୀନ ଜନଜାତିଙ୍କ ପାରମ୍ପରିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରାଯାଇଛି । ସେମାନଙ୍କର ଜ୍ଞାନକୌଶଳକୁ ଆଧାର କରି କିପରି ଜୀବିକା ନିର୍ବାହ କରିପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ଉପକ୍ରମ ମାଧ୍ୟମରେ ସବାଇ ଘାସ , ଢୋକରା , ପଥର କାମ , ଟେରାକୋଟା , ଧାନ କାରୁକଳା , ଖଜୁରୀପତ୍ରର ଆସବାବପତ୍ର , ବାଉଁଶ କାରିଗରୀ , ଲାଖଶିଳ୍ପ ଚିତ୍ରକଳା , ଆଭୂଷଣ ଇତ୍ୟାଦି ୧୬ଟି ପ୍ରଭାଗରେ ତରୁଣ ଶିଳ୍ପୀମାନଙ୍କୁ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ମେଳାରେ ପ୍ରଦର୍ଶିତ ୬ଟି ଷ୍ଟଲରେ ସେମାନଙ୍କର କଳାକୃତି ସ୍ଥାନୀତ ହୋଇଛି । ତରୁଣ କାରିଗରମାନେ ଏହା ଦ୍ଵାରା ସ୍ଵାବଲମ୍ବୀ ହୋଇପାରିଛନ୍ତି । ଗତକାଲି ସନ୍ଧ୍ୟାରେ ଆଦିବାସୀ ମେଳାର ମୁଖ୍ୟ ମଞ୍ଚରେ ସୁଦୂର ମାଲକାନଗିରିର କୋୟାମାନଙ୍କର ‘ ତେନ୍ଦୁଲୁପାଟା ’ ନୃତ୍ୟ , ଚୈତ୍ରମାସର ‘ ବିହନବୁଣା ’ ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି କୋରାପୁଟର ଗଦବାମାନଙ୍କର ଢେମ୍ ନୃତ୍ୟ , ଲାଞ୍ଜିଆ ସଉରାମାନଙ୍କର ‘ ବେଣ୍ଟ ପରବ ’ ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଥମ ଥର ପାଇଁ ମାଲକାନଗିରିରୁ ଆସିଥିବା ଭୂମିଆମାନଙ୍କର ‘ ଢେମ୍ ’ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥଲା ।