ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଗତ ପଞ୍ଚାୟତ ନିର୍ବାଚନବେଳେ ୱାର୍ଡମେମ୍ବର , ସରପଞ୍ଚ , ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା , ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମଇ ମାସ ୨୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଅପ୍ରେଲ ୨୬ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ନୋଟିସ୍ ଜାରି , ୨୯ ଠାରୁ ୦୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଗ୍ରହଣ ଓ ଦାଖଲ କରାଯିବ, ୦୪ ରେ ନାମାଙ୍କନ ପତ୍ର ଯାଞ୍ଚ , ୦୫ ରେ ପ୍ରାର୍ଥୀ ତାଲିକା ପ୍ରକାଶ , ୦୭ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
୨୭ ସକାଳ ୭ଟାଠାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ , ୨୮ ରେ ଭୋଟଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ହୋଇ ୩୧ ରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ ପାଇଛି । ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଅଞ୍ଚଳରେ ଅପ୍ରେଲ ୨୧ ତାରିଖଠାରୁ ମଇ ୨୮ ତାରିଖ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ପୁନରାୟ ନାମାଙ୍କନ ପତ୍ର ଦାଖଲ କରିବା ଆବଶ୍ୟକ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି।