ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଧାରଣା ଦିଆଯାଇଥିଲା । ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ । ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍ସନ୍ ପ୍ରଦାନ କରିବା ସହିତ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ । ତତ୍କ୍ଷଣାତ୍ ରାଜ୍ୟ ସରକାରଙ୍କ ତରଫରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ରାଜ୍ୟର ଘରୋଇ ଡ୍ରାଇଭରମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା । ଦେଶର ପଡ଼ୋଶୀ ରାଜ୍ୟମାନଙ୍କରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ସୁବିଧାସୁଯୋଗ ଅନୁସାରେ ଆମ ରାଜ୍ୟରେ ତାହା କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ତିନିମାସ ମଧ୍ୟରେ ଏସବୁଗୁଡ଼ିକୁ ଅନୁଧ୍ୟାନ କରାଯାଇ ଘରୋଇ ଡ୍ରାଇଭରମାନଙ୍କ ଦାବି ପୂରଣ କରାଯିବ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସାମ୍ବାଦିକମନଙ୍କୁ ସୂଚନା ଦେଇଛନ୍ତି । ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥପ୍ରତି ସଜାଗ ରହିବା ପାଇଁ ପୋଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଡ୍ରାଇଭରମାନଙ୍କର ନୂତନ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ରିନ୍ଯୁ କରିବା କାର୍ଯ୍ୟ ନେଇ ପରିବହନ ବିଭାଗ କାର୍ଯ୍ୟାଳୟକୁ ଗଲେ , ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ୟର ସମସ୍ତ ପରିବହନ ଅଧିକାରୀ ( ଆର୍ଟିଓ ) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ । ଏହି କମିଟିରେ ୪ଟି ବିଭାଗ ଯଥା- ସ୍ଵରାଷ୍ଟ୍ର , ଅର୍ଥ , ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧ୍ୟାକାରୀମାନେ ରହିବେ । ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବିଧାସୁଯୋଗଗୁଡ଼ିକୁ କମିଟି ଅନୁଧ୍ୟାନ କରି ଆମ ରାଜ୍ୟରେ ଏହାକୁ ଆସନ୍ତା ତିନିମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମ , କର୍ମଚାରୀ ରାଜ୍ୟବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ଶ୍ରୀ ସୁବାଷ ସିଂହ , ଏଡିଜି ( ଆଇନଶୃଙ୍ଖଳା ) ଆର୍.କେ . ଶର୍ମା , ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ , ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ , ପରିବହନ କମିଶନର ଅରୁଣ ବୋଥ୍ରୋ , ଶ୍ରମ କମିଶନର ଏନ୍ . ତିରୁମାଳା ନାୟକ , ଅତିରିକ୍ତ ଶ୍ରମ କମିଶନର ଏନ୍ . ମିଶାଲ ଓ ଡିଏଲ୍ ବି . ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।