ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କିମ୍ବଦନ୍ତୀ ସଙ୍ଗୀତ ସାଧକ , ଗାୟକ , ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ବିୟୋଗ ହୋଇଛି। ୮୩ ବର୍ଷ ବୟସରେ ଆଖୁ ବୁଜିଛନ୍ତି ପ୍ରଫୁଲ୍ଲ କର। ଏହି ବର୍ଷିୟାନ୍ ସଂଗୀତଜ୍ଞ କମଳ ଦେଶର ରାଜକୁମର ଭାବେ ପରିଚିତ ଥିଲେ । ରବିବାର ରାତି ୧୦ଟା ୨୦ମିନିଟ୍ରେ ଭୁବନେଶ୍ଵର ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା। ତେବେ ଆଜି ସ୍ବର୍ଗଦ୍ବାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ବାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାଙ୍କ ବିୟୋଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ୧୬ ଫେବୃୟାରୀ ୧୯୩୯ ମସିହାରେ ପୁରୀରେ ତାଙ୍କର ଜନ୍ମ ହୋଇଥିଲା। ପିଲାଦିନୁ ବାପାଙ୍କୁ ହରାଇଥିବା ପ୍ରଫୁଲ୍ଲ। ପରେ ପରେ ସଙ୍ଗୀତକୁ ସାଥୀ କରି ସେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ପରିଚିତ ହୋଇଥିଲେ । ଦୀର୍ଘ ଦଶନ୍ଧି ଧରି ସେ ଅନେକ ମନଛୁଆଁ ସଙ୍ଗୀତ ଦର୍ଶକଙ୍କ ଭେଟି ଦେଇଥିଲେ । ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର , ୧୦ରୁ ଅଧିକ ବଙ୍ଗଳା ଚିତ୍ରରେ ସେ କଣ୍ଠଦାନ କରିଥିଲେ । ନିଜର ଉଲ୍ଲେଖନୀୟ ସଙ୍ଗୀତ ସାଧନା ପାଇଁ ସେ ଜୟଦେବ ସମ୍ମାନ ( ୨୦୦୪ ) , ସ୍ଵପୂର୍ଣ୍ଣ ସଞ୍ଜୀବନୀ ସମ୍ମାନ ( ୨୦୦୮ ) , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ( ୨୦୦୯ ) , ବାଳକୃଷ୍ଣ ଦାଶ ସମ୍ମାନ ( ୨୦୧୦ ) , ଫିଟ୍ଫାଟ୍ ବାଇସ୍କୋପ୍ ସମ୍ମାନ ( ୨୦୧୧ ) , କାଦମ୍ବିନୀ ପୁରସ୍କାର ( ୨୦୧୨ ) , ପରମ୍ପରା ସମ୍ମାନ ( ୨୦୧୨ ) , ୧୧ତମ କୁମାର ଉତ୍ସବରେ ସହଦେବ ପାଢୀ ପୁରସ୍କାର ( ୨୦୧୩ ) ଆଦି ପାଇଥିଲେ । ସଂଗୀତ କ୍ଷେତ୍ରକୁ ତାଙ୍କ ଜୀବନବ୍ୟାପୀ ସାଧନା ତଥା ବିଶେଷ ଅବଦାନ ଲାଗି ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରିଥିଲେ । କେବଳ ସଂଗୀତ ନୁହେଁ କାହାଣୀରେ ମଦ୍ୟ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କ ସ୍ଵକୀୟ ସୃଷ୍ଟି ପାଇଁ ୨୦୦୬ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଥିଲା । ଶେଷ ଜୀବନ ପର୍ଯ୍ୟନ୍ତ ସେ ଥିଲେ ବେଶ୍ ଚଳଚଞ୍ଚଳ ଓ କର୍ମତତ୍ପର। ପ୍ରଫୁଲ୍ଲ କରଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ବୃହତ୍ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।