ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଡହ ଡହ ଖରାରେ ଫୁଟୁଛି ଓଡିଶା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପର ମୁହାଁ ରହିଥିବା ବେଳେ ତାତି ଅସହ୍ୟ ହେଉଛି। ସର୍ବାଧିକ ତାପମାତ୍ରା ବଢ଼ିବା ଦ୍ଵାରା ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି । ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ଦ୍ବାରା ଲୋକେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି । ରବିବାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାରୁ ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ସର୍ବାଧିକ ତାପମାତ୍ରା ବଲାଙ୍ଗିର , ଟିଟିଲାଗଡ଼ , ବାରିପଦା ଏବଂ ସୁବର୍ଣ୍ଣପୁରରେ ୪୨ କିମ୍ବା ତା’ଠାରୁ ଅଧିକ ରହିଛି । ତେବେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦୁଝର, ମୟୁରଭଞ୍ଜ, ଅନୁଗଳ, ଢ଼େଙ୍କାନାଳ,ବୌଦ୍ଧ,କଳାହାଣ୍ଡି,କନ୍ଧମାଳ, ରାୟଗଡା, ନୂଆପଡା,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସଂହପୁର, ପୁରୀ,ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ,ଗଜପତି ଜିଲ୍ଲା ଗୁଡିକରେ ବର୍ଷା ହୋଇପାରେ। ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରି ଭାରତୀୟ ପାଣିପାଗ ବିଭାଗ । ବିଭାଗର ଆକଳନ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ , ମାଲକାନଗିରି , କୋରାପୁଟ , ରାୟଗଡ଼ା , ଗଜପତି ଏବଂ ଗଞ୍ଜାମ ଜିଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିପାରେ । ଏହାର ପ୍ରଭାବରେ ଉପରାକ୍ତ ଜିଲ୍ଲାଗୁଡ଼ିକର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।