ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର , ମୟୂରଭଞ୍ଜ , ମାଲକାନଗିରି , କୋରାପୁଟ , ରାୟଗଡା , ଗଜପତି , କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ପଶ୍ଚିମ ଓଡ଼ିଶାର ୫ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଅନୁଗୋଳ ୪୦.୭ , ତାଳଚେର ୪୦.୨ , ବାରିପଦା ୪୦ଏବଂ ସୁବର୍ଣ୍ଣପୁର ୪୦.୪ , ଭୁବନେଶ୍ଵର ୩୭.୨ ଏବଂ କଟକରେ ୩୬.୫ ଡିଗ୍ରୀ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ; କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଵାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିପାରେ । ତେବେ ଉପକୂଳ ତାପମାତ୍ରାରେ ସେପରି ବିଶେଷ କିଛି ପରିବର୍ତ୍ତନ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ନାହିଁ । ଏହାସହ କାଳବୈଶାଖୀ ପ୍ରଭାବରେ ହେବାକୁଥିବା ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।