ସନଷ୍ଟାର ଟିଭି ବ୍ୟୁରୋ
ଉମରକୋଟ:ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ ପ୍ରସିଦ୍ଧ କଳସି ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ମାଁ ଜଗତ ଜନନୀ ମାଁ ଠାକୁରାଣୀ ଙ୍କ ନବଦିନ ଯାତ୍ରା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ହେବ ମାଁଙ୍କ କଳସି ଯାତ୍ରା ଟି କରୋନା ମହାମାରୀ ଯୋଗୁଁ ବନ୍ଦ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ପ୍ରଶାସନ ର ଅନୁମତି କ୍ରମେ ଯାତ୍ରା ଟି ଆରମ୍ଭ ହୋଇଛି। କଳସି ଯାତ୍ରା ଆଗାମୀ ୯ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଉମରକୋଟ ସହରସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରେ ଥିବା ମାଁ ଜଗତ ଜନନୀ ଙ୍କ ଘରୁ ପୂଜାରୀ, ସିରା ଏକତ୍ରିତ ହୋଇ ବିଭିନ୍ନ ପ୍ରକାର ବାଦ୍ୟ ବଜାଇ ମାଁ ଙ୍କୁ ଆଣାଯାଇଥାଏ । ଏଥିପାଇଁ ସହରର ରାସ୍ତା କୁ ଧୋଇକି ମାଁ ଙ୍କୁ ଝରୀଗାଁ ରୋଡ଼ ରେ ଥିବା ମଙ୍ଗଳା ମନ୍ଦିର କୁ ନିଆଯାଏ। ସେଠାରୁ ମାଁ ଙ୍କୁ ରାସ୍ତାରେ ନୂଆ ଧୋତି ବିଛେଇ ମାଁ ଙ୍କୁ ପାଛୋଟି ଆଣାଯାଏ।
ଗୋଟିଏ ଦିନ ମାଁ ଜଗତ ଜନନୀ ବିଶ୍ରାମ ନେବା ପରେ ତା ପର ଦିନ ଠାରୁ ସାତ ଦିନ ପର୍ଯ୍ୟନ୍ତ ପ୍ରତେକ ଘର କୁ ଘର ବୁଲିଥାନ୍ତି। ଛୋଟ ଛୋଟ କନ୍ୟା ମାନେ ନିଜ ମୁଣ୍ଡରେ କଳସି ଧରି ସହର ର ସମସ୍ତ ସାହି, ଆଖ ପାଖ ଗାଁ କୁ ପରିକର୍ମା କରିଥାନ୍ତି । ଏହି କଳସି ଯାତ୍ରା ରେ ଚତୁର୍ଦିଗରୁ ଲୋକଙ୍କ ଭିଡ଼ ଜମିଥାଏ। ଉକ୍ତ ଯାତ୍ରାରେ ମାଁଙ୍କ ପାଖରେ ଯାହା ମନସ୍କାମନା କରାଯାଏ ତାହା ସଫଳ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଏବଂ ମାଁ ଜଗତଜନନୀ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି। ଏହି ୯ଦିନ ପର୍ଯ୍ୟନ୍ତ ଉମରକୋଟ ସହରର ଲୋକଙ୍କ ମନରେ ଖୁସିର ଲହରୀ ଖେଳିଥାଏ। ଉକ୍ତ ଯାତ୍ରାରେ ଦୂର ଦୁରାନ୍ତରୁ ବ୍ୟବସାୟୀ ମାନେ ନିଜର ବ୍ୟବସାୟ ନିମନ୍ତେ ବିଭିନ୍ନ ପ୍ରକାର ଦୋକାନ ଲଗାନ୍ତି। ଛୋଟ ପିଲାମାନଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ଦୋଳି, ମିନା ବଜାରମଧ୍ୟ ବସିଥାଆନ୍ତି। ଯାତ୍ରା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ଘରେ ବନ୍ଧୁ ବାନ୍ଧବ ଙ୍କ ଭିଡ଼ ଜମିଥାଏ। ୯ଦିନ ପରେ ପୁଣି ମାଁ ଜଗତଜନନୀ ଙ୍କୁ ତାଙ୍କ ଘର ମଙ୍ଗଳା ମନ୍ଦିର କୁ ବାହୁଡ଼ି ନିଆଯାଇଥାଏ।
(ରିର୍ପୋଟ:ପୂର୍ଣ୍ଣଚନ୍ଦ୍ର ନାୟକ)