ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ହେଇଛି ୮୬ତମ ଉତ୍କଳ ଦିବସ। ଆଜିର ଦିନରେ ୧୯୩୬ ମସିହା ଏପ୍ରିଲ ୧ରେ ଭାରତ ମାନଚିତ୍ରରେ ପ୍ରଥମ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଓଡ଼ିଶା ସ୍ଥାନ ପାଇଥିଲା । ସେଥିପାଇଁ ଏହି ଦିବସଟି ଆମ ଜାତି ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ୧୮୦୩ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଇଂରେଜଙ୍କ ଶାସନାଧୀନ ହେଲା । କ୍ରମେ ଇଂରେଜଶାସିତ ଓଡ଼ିଶାର ସାମାଜିକ , ରାଜନୈତିକ , ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ଅତ୍ୟନ୍ତ ସଂକଟମୟ ଅବସ୍ଥାରେ ଗତି କରିବାକୁ ଲାଗିଲା । ବ୍ରିଟିଶ୍ ପ୍ରଭାବରେ ଓଡ଼ିଆ ଭାଷାକୁ ନ୍ୟୁନ କରି ଗଞ୍ଜାମରେ ତେଲୁଗୁ , ସମ୍ବଲପୁରରେ ହିନ୍ଦୀ , ବାଲେଶ୍ବରରେ ବଙ୍ଗଳା ଭାଷା ବ୍ୟବହାର ପାଇଁ ଯୋଜନାମାନ ପ୍ରସ୍ତୁତ କରାଗଲା । ଆମ ମାତୃଭାଷା ଓଡ଼ିଆ ଭାଷା ଉପରେ ବିପଦ ଦେଖାଦେଲା । ଓଡ଼ିଆ ଭାଷା ଓ ଭୂଖଣ୍ଡର ସୁରକ୍ଷା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ଗଢ଼ା ହେଲା ଉତ୍କଳ ସମ୍ମିଳନୀ। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ବତନ୍ତ୍ର ଓଡ଼ିଶା ଗଠନ କରି ଓଡ଼ିଆଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା । ଯାହା ପାଇଁ ଆଜିର ଉତ୍କଳ ଦିବସ ଭାବେ ଜଣାଯାଉଛି। ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳନ ହୋଇଯାଇଛି।