ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: LKG ରୁ PG ଶିକ୍ଷାଗ୍ରହଣର ସୁବିଧା ଥିବା ଭୁବନେଶ୍ୱରସ୍ଥ ବାଣୀବିହାର ଯୁନିଭରସିଟି ହାଇସ୍କୁଲରେ ଏକକାଳୀନ ୧୧ଜଣ ଶିକ୍ଷକ ନିଯୁକ୍ତି କାଳରେ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ରଖିଛନ୍ତି ଓଡ଼ିଶା ଦକ୍ଷତା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ l
ବାଣୀବିହାର ଅଡିଟୋରିୟମରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ ସ୍କୁଲର ସ୍ମୃତିଚାରଣରେ ସେ କହିଥିଲେ ଯେ, ” ଏକଦା ସେ ଏହି ସ୍କୁଲର ଛାତ୍ର ଥିଲେ । ସେ ସମୟର ଜରାଜୀର୍ଣ୍ଣ ସ୍କୁଲଟି ଆଜି ଅତ୍ୟାଧୁନିକ ସୁବିଧା ସହ ପୂର୍ଣ୍ଣ ଜନ୍ମ ପାଇଛି। ଏଥିପାଇଁ ଏଠାରେ ବହୁ ଆଗରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରମାନଙ୍କଠାରୁ ସଂଗ୍ରହୀତ ଅବଦାନ ସହ ଦୁଇ ଗୁଣା ସରକାରୀ ଅନୁଦାନ ବିନିଯୋଗରେ ତଥା ମିଳିତ ସହଯୋଗ ସହ ପୂର୍ଣ୍ଣପ୍ରାଣରେ ଉଦ୍ୟମ ସହାୟକ ହୋଇଛି । ପୂର୍ବରୁ ଏହି ସ୍କୁଲରେ ୬୩୦ ଜଣ ଛାତ୍ରରେ ମାତ୍ର ୮ ଜଣ ଶିକ୍ଷକ ଯୋଗୁଁ ଥିବା ଅସୁବିଧା ଏବେ ଦୂର ହୋଇ ଓଡ଼ିଶା ଶିକ୍ଷା ଇତିହାସରେ ଏକାଥରେ ନିମ୍ନ ପ୍ରାଥମିକ ସ୍ତରରେ ୭ ଜଣ ଶିକ୍ଷକ ଓ ମାଧ୍ୟମିକ ସ୍ତରରେ ୪ ଜଣ ଶିକ୍ଷକ ସମେତ ସମୁଦାୟ ୧୧ ଜଣ ଶିକ୍ଷକ ନିଯୁକ୍ତ ହେବାରେ ଶିକ୍ଷା, ଶିକ୍ଷାୟତନ ଓ ଶୈକ୍ଷିକ ପରିବେଶ ବେଶ ମାର୍ଜିତ ହୋଇଛି ।
ନବ ନିଯୁକ୍ତ ୧୧ ଜଣ ଶିକ୍ଷକଙ୍କୁ ସ୍ଵାଗତ ଜଣାଇବା ସହ ସେ ସେମାନଙ୍କୁ ଦେଶଜାତି ପାଇଁ ଉତ୍ତମ ନାଗରିକ ଗତିତୋଳିବାରେ ନିଜର କର୍ତ୍ତ୍ୟବ୍ୟ ସଂପାଦନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ରଖି ବାଣୀବିହାର ୟୁନିଭରସିଟିର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜିର ଏ ପରିବର୍ତ୍ତନ ନିମନ୍ତେ ସାଧୁବାଦ ଜଣାଇବା ସହ ଆଗକୁ ଇ-ଲାଇବ୍ରେରୀ ଓ ବହୁମୁଖୀ ସୌଧ ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁଣିଥରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ସଂଗୃହୀତ ୪୦ ଲକ୍ଷ ଟଙ୍କା ଓ ମୋ ସ୍କୁଲ ଅଭିଯାନରେ ଦୁଇ ଗୁଣା ସରକାରୀ ସହାୟତା ୮୦ ଲକ୍ଷ ମିଶି ସମୁଦାୟ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ସହ ଏହାର ବହୁମୁଖୀ ଉପଯୋଗିତା କରାଯିବ । ବାଣୀବିହାର ରେଜିଷ୍ଟ୍ରାର ଡକ୍ଟର ଅଭୟ ନାୟକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ, ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥି, ପୁରାତନ ଛାତ୍ର ସଂସଦର ସଭାପତି ଦୀପକ କୁମାର ସ୍ଵାଇଁଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀଗଣ ଉକ୍ତ ଉତ୍ସବରେ ଯୋଗଦେଇଥିଲେ । ଆରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେବୀ ସ୍ଵାଗତ ଭାଷଣ ସହ ଶେଷରେ ଉକ୍ତ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ସାହୁ ଧନ୍ୟବାଦ ଦେଇଥିଲେ।