ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ପାଉଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରୁ ଅଧିକ ବୃଦ୍ଧି ପାଇଛି। ସର୍ବୋଚ୍ଚ ଦିନ ତାପମାତ୍ରା ବଲାଙ୍ଗିର ଠାରେ ରେର୍କଡ କରାଯାଇଛି। ଆଜି ଠାରୁ ୧୮ ତାରିଖ ଯାଏଁ ଉପକୂଳ ଓଡିଶାର କିଛି ସ୍ଥାନରେ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ରେର୍କଡ କରାଯାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ଆଭ୍ୟାନ୍ତରୀଣ ଓଡିଶାର କିଛି ସ୍ଥାନରେ ତାପମାତ୍ରା ୩୮ ରୁ ୪୧ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଆଗାମୀ ତିନିଦିନ ଯାଏ ପଶ୍ଚିମ –ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବାରୁ ୧୬ ରୁ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ପାଇବ। ଏଥିପାଇଁ କିଛି ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି।୧୬ ତାରିଖରେ ସୋନପୁର,ବୌଦ୍ଧ,ନୟାଗଡ,ଖୋର୍ଦ୍ଧା,ବଲାଙ୍ଗୀର,ମୟୁରଭଞ୍ଜ,ବାଲେଶ୍ବରରେ ଗ୍ରୀଷ୍ମପ୍ରଭାବ ବୃଦ୍ଧି ପାଇବ ବୋଲି ଏହି ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଦିଆଯାଇଛି। ଏହାପରେ ୧୭ ତାରିଖରେ ୧୦ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଦିଆଯାଇଛି। ଏହାବାଦ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତି ବିଷୁବରେଖା ନିକଟରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାମଧ୍ୟରେ ଲଘୁଚାପ ବଳୟ ସୃଷ୍ଯି ହୋଇ ପାରେ।