ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ପୁରୀ ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ପ୍ରଥମାଷ୍ଟମୀ । ନୂତନ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ । ମାର୍ଗଶୀର କୃଷ୍ଣ ଅଷ୍ଟମୀ ତିଥୀରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତି କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର କୁହାଯାଉଥିବା ନିଆଳିର ମାଧବାନନ୍ଦ ମନ୍ଦିରରୁ ପୁରୀରେ ପହଞ୍ଚି ସାରିଛି ପୋଡ଼ୁଆଁ ଭାର । ପ୍ରଥମାଷ୍ଟମୀ ଅବସରରେ ଭାରରେ ମହାପ୍ରଭୁଙ୍କ ପାଇଁ ଖଣ୍ତୁଆ ପାଟ, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼ ଓ ପାଚିଲା କଦଳୀ ପ୍ରଭୃତି ଅନେକ ଦିବ୍ୟ ପଦାର୍ଥ ରହିଛି ।
ଏବର୍ଷ ମଧ୍ୟ ଆରମ୍ଭ ହୋଇଯାଇଛି ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ନୀତିକାନ୍ତି ଅନୁସାରେ ପ୍ରଥମେ ଭୋଗ ଉତ୍ପପ କରାଯିବ । ଏହାପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତ ଅନୁଷ୍ଠିତ ହେବ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରିବେ ।ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ, ସେବକ ଘଟୁଆରୀ ଚନ୍ଦନ ଘରଠାରୁ ବନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇବେ । ଏହାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୁର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିବେ । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦପନା ହୋଇଥାଏ ।