ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ରାଜ୍ୟରେ ଏବେ ଠାରୁ ଗରମ ତାତି ଅନୁଭବ କରିହେଉଛି। ଦିନ ୯ଟା ପର ଠାରୁ ବାହାରକୁ ବାହାରିବା ମୁସକିଲ ହୋଇଯାଉଛି। ତେବେ ଏଭଳି ପରିସ୍ଥିତିରେ ଦୀର୍ଘ ୪ଘଣ୍ଟା ଧାଡିରେ ଛିଡା ହୋଇ ଖରାରେ ସିଝିଛନ୍ତି ଶ୍ରଦ୍ଧାଳୁ। ତେବେ ଏଭଳି ଘଟଣା ଘଟିଛି କାଳିଆ ଦୁଆରେ। ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ତା ହୋଇଥିବା କଥା ପୁରୀ ପ୍ରଶାସନ କହୁଥିବା ବେଳେ ଏହା କେବଳ ତୁଣ୍ଡରେ ସୀମିତ ହୋଇ ରହିଯାଇଥିବାର ଦେଖିବାକୁ ମିଳିଛି। ଲୋକମାନେ ଗରମରେ ବ୍ୟାରିକେଡରେ ଭିତରେ ଛିଡା ହୋଇଥିବା ବେଳେ ଶ୍ରଦ୍ଧାଳୁ ପିଇବା ପାଇଁ ଆଞ୍ଜୁଳିଏ ପାଣି ପାଉନଥିବାର ପ୍ରକାଶ କରିଛନ୍ତି । ତେବେ ଏଭଳି ଦାଇତ୍ବହୀନତା ପାଇଁ ପ୍ରଶାସନ ଉପରେ ଖୁବ ଅସନ୍ତୋଷ ଜାହିର କରିଛନ୍ତି କାଳିଆପ୍ରେମୀ। ଲୋକମାନେ କାହିଁ କେତେ ଦୂରରୁ ପ୍ରଭୁଙ୍କର ଦର୍ଶନ ପାଇଁ ଆସୁଥିବା ବେଳେ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଖରାରେ ଧାଡିରେ ଛିଡା ହେଉଥିଲେ ମଧ୍ୟ ବ୍ୟାରିକେଡ ଉପରେ ସାମିଆନା ବନ୍ଧା ଯାଉ ନାହିଁ। ଛାମୁଆ ଖରାରେ ଡହଳ ବିକଳ ହେଉଛି ଶ୍ରଦ୍ଧାଳୁ। ପୂର୍ବ ଗାଇଡଲାଇନ ଅନୁସାରେ ରବିବାର ଶ୍ରୀମନ୍ଦିର ବନ୍ଦ ଥିବାରୁ ସୋମବାର ଶ୍ରୀମନ୍ଦିରକୁ ବହୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା । ତେବେ ଏହି କାରଣରୁ ଧାଡିମଧ୍ୟ ବହୁ ଲମ୍ବା ହୋଇଥିଲା। ଧାଡିରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଧାଡିରେ ଛିଡା ହୋଇଥିଲେ। ଗ୍ରୀଷ୍ମତାତି ସହ ପ୍ରଶାସନର ଅବ୍ୟବସ୍ଥା ଲୋକ ମାନଙ୍କୁ ବହୁ ଅସ୍ତବ୍ୟସ୍ତ କରିଛି। ତେବେ ପୁରୀ ଭଳି ସ୍ଥାନରେ ଯଦି ପ୍ରଶାସନ ସଜାଗ ନରୁହେ ତେବେ ଏହାର କୁପରିଣାମ ବହୁ ଦୂରରୁ ଆସୁଥିବା ଭକ୍ତ ବା ଶ୍ରଦ୍ଧାଳୁ ମାନେ ହିଁ ଭୋଗ କରିବେ ବୋଲି ଜଣାଯାଉଛି।