ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ – ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ହସ୍ପିଟାଲ୍ ପାଇଁ ରାଜ୍ୟସରକାର ଇନ୍ଫୋଭ୍ୟାଲି – ୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଏହି ହସ୍ପିଟାଲ୍କୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା । ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦୃତ ଅଗ୍ରଗତି ହୋଇଛି । ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ ବୋଲି କାର୍ଯ୍ୟରତ ଇଞ୍ଜିନିଅର ଜଣାଇଥିଲେ । ଏହି ହସ୍ପିଟାଲ୍ରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । କ୍ୟାଣ୍ଟିନ୍ , ଶୌଚାଳୟ , ପାକିଂ ସ୍ଥାନ , ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ । ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦ୍ରବ୍ୟ , ଆଇନ୍ ଶୃଙ୍ଖଳା ସ୍ଥିତି , ନିର୍ମାଣ ନିମନ୍ତେ ମାନବ ସମ୍ବଳ , ଯନ୍ତ୍ରପାତି ଆଦିର ଉପଲବ୍ଧ ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଏହାସହ ସୁବିଧା ,ଅସୁବିଧା ସମ୍ପର୍କରେ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରମାନଙ୍କୁ ପଚାରି ବୁଝିଥିଲେ । ନିର୍ମାଣପାଇଁ କୌଣସି ବିଶେଷ ଅସୁବିଧା ନଥିବା କଥା ଇଞ୍ଜିନିଅର ମାନେ ଜଣାଇଥିଲେ । ୨୦୨୩ ମସିହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁଦ୍ଧା ହସ୍ପିଟାଲ୍ର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ପୂର୍ବକ ରୋଗୀସେବା ଆରମ୍ଭ କରିବା ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ ।
ଶିକ୍ଷା ଓ ଗବେଷଣା ନିମନ୍ତେ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିମ୍ର ବ୍ୟବସ୍ଥା କରାଯିବ । ଗଣ୍ଡମୁଣ୍ଡାଠାରେ ଆରମ୍ଭ କରାଯାଇଥିବା ଅସ୍ଥାୟୀ ଗୃହଭିଭିକ ସେବାଯୋଗାଣ କେନ୍ଦ୍ରରେ ମଧ୍ୟ ବର୍ହିବିଭାଗ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗ୍ଚୀ ଜଣାଇଥିଲେ । ଏହି କେନ୍ଦ୍ରରେ ଗୃହଭିଭିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର , ନର୍ସ , ଫାମାସିଷ୍ଟ , ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି । ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ , ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ଡିସେମ୍ବର ମାସରେ ଉଦ୍ଘାଟନ କରିଥିଲେ । ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି ।
ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍ , ଏମ୍ସ୍ , କ୍ୟାପିଟାଲ୍ ହସ୍ ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହାଛଡ଼ା କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ବୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତୋ ବାଗ୍ଚୀଙ୍କ ସମେତ ହସ୍ ପିଟାଲ୍ର ମୁଖ୍ୟ ଅର୍କିଟେକ୍ ଶ୍ରୀ ସୁନ୍ଦର ରମନ୍ , କରୁଣାଶ୍ରୟର ମୁଖ୍ୟ ଆର୍କିଟେକ୍ ଶ୍ରୀ ଏନ୍ . ମେଡାପ୍ସା , କରୁଣାଶ୍ରୟର ପରିଚାଳକ ଶ୍ରୀ ଜ୍ଞାନ ରଂଜନ ମହାପାତ୍ର , ପ୍ରକଳ୍ପ ପରିଚାଳକ ଶ୍ରୀ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।