ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଚଳିତମାସ ୨୦ ତାରିଖରୁ ସବୁ ରବିବାର ଭକ୍ତଙ୍କୁ ମିଳିବ କାଳିଆ ଠାକୁରଙ୍କ ଦର୍ଶନ । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ଛତିଶା ନିଯୋଗ । ଏବେ କଟକଣା ହିସାବରେ ରବିବାର ମନ୍ଦିର ବନ୍ଦ ରହୁଛି। କିନ୍ତୁ ଆସନ୍ତା ୨୦ ତାରିଖ ଠାରୁ ରବିବାର ମଧ୍ୟ କାଳିଆ ଠାକୁରକୁ ଦର୍ଶନ କରି ପାରିବେ। ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଣିକି ସକାଳେ ଶ୍ରୀମନ୍ଦିର ଦ୍ଵାର ଖୋଲିବାଠାରୁ ମହାପ୍ରଭୁଙ୍କ ରାତ୍ରି ପହୁଡ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପୂର୍ବପରି କରୋନା ପ୍ରତିଷେଧକ ବ୍ୟବସ୍ଥା ବଳବତ୍ତର ରଖାଯାଇଛି । ଦର୍ଶନ ପାଇଁ ଯିବାବେଳେ ମାସ୍କ କୁ ବାଧ୍ୟତାମୂଳକ କରାଯାଇଛି। ଏହା ସହ ସାମାଜିକ ଦୂରତ୍ବ ପାଳନ ପାଇଁ ପରାମର୍ଶ ଦିଆଯାଇଛି । ଶ୍ରୀଜୀଉଙ୍କ ଆଗାମୀ ଦୋଳପୂର୍ଣ୍ଣିମା ଏବଂ ହୋଲି ଉତ୍ସବ ନୀତିନିଘଣ୍ଟ ପ୍ରସ୍ତୁତ କରାଯାଇଛି ।ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ବଢ଼ୁଛି ସେଥିଲାଗି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବାଧାଡି ଲାଗୁଥିବାରୁ ପ୍ରଶାସନ ପକ୍ଷରୁ ପାନୀୟଜଳ ଯୋଗାଇ ଦିଆଯିବ । ଶ୍ରୀମନ୍ଦିର ଭିତରେ ଗହଳି ନିୟନ୍ତ୍ରଣ ପାଇଁ ଖୁବ୍ଶୀଘ୍ର ଆଉକିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବର୍ମା ଗଣମାଧ୍ୟମକୁ କହିଛନ୍ତି । ଏଣିକି ରବିବାର ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ । ତେଣୁ ପୂର୍ବାପେକ୍ଷା ଗହଳି ହ୍ରାସ ପାଇବ ।