ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ନାରୀ ଶକ୍ତିଧାରିଣୀ , ନାରୀ ଶକ୍ତିରୁପିଣୀ। ନାରୀ ଏହି ଶବ୍ଦ ହିଁ ନିଜ ଭିତରେ ଏକ ଶକ୍ତିର ଉତ୍ସ। କିନ୍ତୁ ଏ ସମାଜ ନାରୀ କୁ ଅବଳା ଦୁର୍ବଳା ନଜରରେ ଦେଖେ। ତା ଉପରେ ଲୋଲୁପ ଦୃଷ୍ଟି ପକାଏ, ଯେଉଁଥି ପାଇଁ ଏ କୁସମାଜରେ ନାରୀ ର୍ନିଯାତନାର ପାତ୍ର ହୋଇଥାଏ। କିନ୍ତୁ ଆମେ ସବୁ ଭୁଲିଯାଉ ଯେ ନାରୀ ହେଉଛି ଏ ସମାଜର ଏକ ଅଭିନ୍ନ ଅଙ୍ଗ। ନାରୀ ବିନା ସୃଷ୍ଟି ଅଧା। ସମାଜ ପ୍ରତି ନିଜ କର୍ତ୍ତବ୍ୟ ସାବ୍ୟସ୍ତ କରିବା ପାଇଁ ସେ ଜନନୀ,ଭଗିନୀ ଓ ଜାୟା ରୂପ ଧାରଣ କରିଥାଏ। ପ୍ରତ୍ୟେକ ନାରୀର ଆଶାଥାଏ ଏହି ସ୍ବାଧୀନ ସମାଜରେ ନିଜ ଇଚ୍ଛା ମୁତାବକ ବଞ୍ଚିବା ପାଇଁ। ହେଲେ କର୍ତ୍ତବ୍ୟର ଭାର ତଳେ ସେ ଏତେ ଦବି ଯାଏ ଯେ ତାକୁ ନିଜ ଇଚ୍ଛା ଆଉ ଦିଶେ ନାହିଁ। କଥାରେ ଅଛି ଝିଅ ଜନମ, ପର ଘରକୁ । ନିଜ ଘରକୁ ପର କରି ସେ ଯାଏ ଆଉ କାହାର ଘର ତୋଳିବାକୁ । ଯେଉଁଠାରେ ତାକୁ ଗୋଟିଏ ସ୍ତ୍ରୀର କର୍ତ୍ତବ୍ୟ କରିବାକୁ ହୁଏ, ଗୋଟିଏ ବୋହୂ ହୋଇ ସୁନାର ଘର ତୋଳିବାକୁ ହୁଏ। ପରେ ତାକୁ ଗୋଟିଏ ମା ହୋଇ ନିଜର ସଂସାରକୁ ମଧ୍ୟ ଦେଖିବାକୁ ହୋଇ ଥାଏ। ଆଉ ଏହି ସବୁ ଭିତରେ ସେ ତାର ସ୍ବପ୍ନର ପକ୍ଷୀର ଡେଣାକୁ କାଟି ଦେଇ ଅନ୍ୟ ଖୁସିରେ ଖୁସି ହୋଇଥାଏ। କେବଳ ଏତିକି ନୁହେଁ ଏହି ସବୁ ଭିତରେ ବି ଘରୋଇ ହିଂସାର ଶୀକାର ହୋଇଥାଏ ଗୋଟିଏ ନାରୀ। ହେଲେ ନିଜ ସମ୍ମାନ ପାଇଁ କେବେ ଲଢ଼ିବା ଛାଡେ ନାହିଁ ନାରୀ। ନାରୀ ଜାଣେ ତା ଜୀବନ ସଂଘର୍ଷମୟ ଆଉ ତାକୁ ସେହି ସଂଘର୍ଷ କୁ ସଫଳ କରିବାର ପଥ ଭଲ ଭାବରେ ଜଣା।ଆଗରୁ ଯେଉଁ ନାରୀ ଘର ଭିତରେ ରହି ର୍ନିଯାତନାକୁ ସହୁ ଥିଲା ଏବେ ସେ ନିଜ ସମ୍ମାନ ପାଇଁ ବାହାରକୁ ପାଦ କାଢ଼ିଛି । ଶଶକ୍ତ ହେଉଛି ନାରୀ, ନିଜ ପାଇଁ ଲଢ଼ୁଛି। ମହିଳା ମାନଙ୍କୁ ସମ୍ମାନ ଦେବା ପାଇଁ ଆଜିର ଦିନକୁ ସାରା ବିଶ୍ବରେ ନାରୀ ଦିବସ ରୂପେ ପାଳନ କରାଯାଉଛି। ସାରା ବିଶ୍ବ ଏହି ଦିନକୁ ପାଳନ କରୁଛି। ତେବେ ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୨ର ଥିମ୍ ହେଉଛି ଲିଙ୍ଗଗତ ସମାନତା।