ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ହେଉଛି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଏହାଭିତରେ ତିନି ପ୍ରମୁଖ ଦଳ ସେମାନଙ୍କର ମେୟର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ପାଇଁ କଡା ଟକ୍କର ଦେବେ ଏହି ଦଳ। ନିର୍ବାଚନ କମିଶନଙ୍କ ସୂଚନାକ୍ରମେ ଆଜି ନାମାଙ୍କନ ଦାଖଲର ଶେଷଦିନ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ୧୪ ରଖାଯାଇଥିବା ବେଳେ ସେହି ଦିନ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ମାର୍ଚ୍ଚ୨୪ ତାରିଖ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ। ତେବେ ଆସନ୍ତୁ ଜାଣିବା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ କଟକ, ଭୁବନେଶ୍ବର ଏବଂ ବ୍ରହ୍ମପୁର ପାଇଁ କେଉଁ ମାନଙ୍କର ନାମ ଘୋଷଣା କରିଛି।
ବିଜେଡି: ବିଜେଡି ମାର୍ଚ୍ଚ୫ରେ ପୌର ପରିଷଦ ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ପୌର ନିର୍ବାଚନରେ ବିଜେଡି କଟକ ପାଇଁ ସୁବାସ ସିଂ, ଭୁବନେଶ୍ବର ପାଇଁ ସୁଲଚନା ଦାସ ଏବଂ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି।
ବିଜେପି: ପୌର ନିର୍ବାଚନ ହାତେଇବା ପାଇଁ ଖୁବ କସରତ କରୁଛି ବିଜେପି। ପୌର ନିର୍ବାଚନ ମଇଦାନରେ ବିଜେଡି ଏବଂ କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି କଟକ ରୁ ଶ୍ରୀତମ ଦାସ, ଭୁବନେଶ୍ବରରୁ ସୁନିତି ମୁଣ୍ଡ, ଏବଂ ବ୍ରହ୍ମପୁରରୁ ସବିତା ସୁଅର ।
କଂଗ୍ରେସ:ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ। ସର୍ବପ୍ରଥମେ ମେୟର ପ୍ରାର୍ଥୀ ନାମ ଘୋଷଣା କରିଥିଲା କଂଗ୍ରେସ। କଂଗ୍ରେସ ତରଫରୁ ପୌର ପରିଷଦ ଆସନ ପାଇଁ କଟକରୁ ପ୍ରତିଦ୍ବନ୍ଦିତ କରିବେ ଗିରିବାଳା ବେହେରା , ଭୁବନେଶ୍ବରରୁ ପ୍ରତିଦ୍ବନ୍ଦିତ କରିବେ ମଧୂସ୍ମିତା ଆଚାର୍ଯ୍ୟ ଏବଂ ବ୍ରହ୍ମପୁରରୁ ପ୍ରତିଦ୍ବନ୍ଦିତ କରିବେ ମଞ୍ଜୁ ରଥ।
ପୌର ନିର୍ବାଚନରେ ଦେଖିବାକୁ ମିଳିବ ତ୍ରିମୁଖି ଲଢ଼େଇ। ତିନି ଦଳ ନିଜ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଯାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ଦେଖିବା ବାକି ରହିଲା କାହାକୁ ନିଜ ପୌରାଧ୍ୟକ୍ଷ ଭାବେ ଚୟନ କରୁଛନ୍ତି ପୌର ଭୋଟରସ୍।