ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଲା ପରେ ହେବ +୩ ଏବଂ ପିଜି ପରୀକ୍ଷା । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଚିଠି କରାଯାଇଛି । ଏହା ସହ କଲେଜ ଓ ବିଶ୍ଵବିଦ୍ୟାଳୟ ଖୋଲିବା ପରେ ପାଠପଢ଼ା ସରିଲେ ହିଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ସୂଚନା ଦିଆଯାଇଛି।
ସଚିବଙ୍କ ପକ୍ଷରୁ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ , କରୋନା ମହାମାରି ଯୋଗୁ ଚଳିତ ଶିକ୍ଷାବର୍ଷ ଖୁବ ପ୍ରଭାବିତ ହୋଇଛି । ବର୍ତ୍ତମାନ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟଗୁଡିକ ବନ୍ଦ ରହିଛି ଓ ପିଲାମାନେ ଅନଲାଇନ୍ ଜରିଆରେ କ୍ଲାସ କରୁଛନ୍ତି । କିନ୍ତୁ ଇଣ୍ଟରନେଟ୍ ବା ନେଟଓ୍ବାର୍କ ନଥିବା ହେତୁ ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପିଲା ଅନଲାଇନ୍ କ୍ଲାସରେ ଯୋଗ ଦେଇପାରୁନାହାନ୍ତି । ଏପରି ସ୍ଥିତିରେ ଅନଲାଇନ୍ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଲା ପରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯିବ । ସିଲାବସ ସମ୍ପୂର୍ଣ୍ଣ ପଢ଼ା ସରିଲେ ହିଁ ପରୀକ୍ଷା ହେବ ବୋଲି ଏଥିରେ ଲେଖାଯାଇଛି ।