ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ନିର୍ବାଚନର ଭୋଟ ଗଣତିରେ ପକ୍ଷପାତିତା ହୋଇଥିବାର ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ନେଇ ନିର୍ବାଚନରେ ହାରିଥିବା ନିକଟତମ ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ସମର୍ଥକଙ୍କ ସହିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ବ୍ଲକରେ । ଉଦଳା ବ୍ଲକ ଅଧିନ ପାଟଶାଣୀପୁର ପଂଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଥିଲେ ବସୁଧା ସିଂ । ଯାହାକି ୨୬ ତାରିଖ ଦିନ ହୋଇଥିବା ଭୋଟ ଗଣତିରେ ପକ୍ଷପାତିତା କରାଯାଇଥିବାର ଅଭିଯୋଗ କରିଛନ୍ତି ସମିତି ସଭ୍ୟ ପ୍ରାର୍ଥୀ । ବସୁଧା ସିଂ ଏବଂ ସ୍ନେହଲତା ସିଂଙ୍କ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ପ୍ରଥମେ ବସୁଧାଙ୍କୁ ବିଜୟୀ ବୋଲି ଘୋଷଣା କରିଥିବା ବେଳେ ତୁରନ୍ତ ତାହାକୁ ପରିବର୍ତ୍ତନ କରାଯାଇ ସ୍ନେହଲତାଙ୍କୁ ବିଜୟୀ ବୋଲି ଘୋଷଣା କରାଯାଇଥିଲା । ଯାହାକି ମାତ୍ର ୧୬ ଗୋଟି ଭୋଟରେ ସ୍ନେହଲତା ସମିତି ସଭ୍ୟ ପଦବୀରେ ନିର୍ବାଚିତ ହୋଇଥିବା ବେଳେ ତୃଟିପୂର୍ଣ୍ଣ ଗଣତି କରାଯାଇଥିବାର ଅଭିଯୋଗ କରି ପରାସ୍ତ ହୋଇଥିବା ସମିତି ସଭ୍ୟ ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକ ବ୍ଲକ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଧାରଣାରତ ସମିତି ସଭ୍ୟ ପ୍ରାର୍ଥୀ । (ରିର୍ପୋଟ: ଆଲୋକ କୁମାର ବେହେରା)