ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଫଗାନିସ୍ତାନ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖରୁ ପଶ୍ଚିମ – ହିମାଳୟ ଅଞ୍ଚଳରେ ଆଉ ଏକ ପଶ୍ଚିମା ଝଡ ସକ୍ରିୟ ରହିପାରେ । ଏହାର ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷାର ପାଣିପାଗ ବିଭାଗର ଆକଳନ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ , ଝାରସୁଗୁଡା , ସୁନ୍ଦରଗଡ , ସମ୍ବଲପୁର , ଦେବଗଡ , କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ୨୫ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାକୁ ଥିବାବେଳେ ସୁନ୍ଦରଗଡ , ଦେବଗଡ , ଅନୁଗୋଳ ଢେଙ୍କାନାଳ , କେନ୍ଦୁଝର , ମୟୂରଭଞ୍ଜ , ଯାଜପୁର , ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ । ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖ୍ ଉପରୋକ୍ତ ଜିଲ୍ଲାଗୁଡିକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ସୂଚନାଦିଆଯାଇଛି।