ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : ଆଫଗାନିସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପଶ୍ଚିମା ଝଡ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ରୁ ତିନିଦିନ ଧରି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରେ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୨୪ ତାରିଖରେ ବରଗଡ , ଝାରସୁଗୁଡା , ସୁନ୍ଦରଗଡ, ସମ୍ବଲପୁର , ଦେବଗଡ , କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ୨୫ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ସୁନ୍ଦରଗଡ଼ , ଦେବଗଡ଼ , ଅନୁଗୋଳ , ଢ଼େଙ୍କାନାଳ , କେନ୍ଦୁଝର , ମୟୂରଭଞ୍ଜ , ଯାଜପୁର , ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ୨୬ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସମେତ କେନ୍ଦୁଝର , ମୟୂରଭଞ୍ଜ , ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ବର୍ଷାର ସମ୍ଭାବନା ନାହିଁ । ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ନିର୍ଦେଶକ ଡକ୍ଟର ଏଚ.ଆର. ବିଶ୍ଵାସ କହିଛନ୍ତି ୨୪ରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ଏବଂ କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେଳେ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ।