ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଥିବାରୁ ବର୍ତ୍ତମାନ ବଜାରରେ ସୁନାଦର ମହଙ୍ଗା ହୋଇଛି । ବର୍ଷକ ପରେ ପ୍ରଥମ ଥର ଲାଗି ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି । ବିଶ୍ଵରେ ସଙ୍କଟ ଦେଖାଦେଲେ ନିବେଶକମାନେ ମୁଖ୍ୟତଃ ସୁନା ଭଳି ସୁରକ୍ଷିତ ସମ୍ପତ୍ତିରେ ନିବେଶ କରିବାକୁ ଆଗେଇ ଆସନ୍ତି ଯାହାଫଳରେ ଯୁଦ୍ଧ ଭଳି ପରିସ୍ଥିତିରେ ସୁନାର ଦାମ୍ ବୃଦ୍ଧି ପାଇଥାଏ । ଭାରତରେ ସୁନା ମୂଲ୍ୟ ୫୦ , ୩୨୩ ଟଙ୍କା ହୋଇଛି । ଏହା ପଛର ଅନ୍ୟ ଏକ କାରଣ ହେଉଛି ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ । ଏକ ଡଲାର ମୂଲ୍ୟ ୭୫ ଟଙ୍କା ୬୬ ପଇସା ହୋଇଯାଇଛି । ସେଥିପାଇଁ ସମାନ ପରିମାଣର ସୁନା କିଣିବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡୁଛି । ସୁନା ଦାମ୍ ୧୩ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୮୭୬.୭୧ ଡଲାରକୁ ବୃଦ୍ଧି ପାଇଛି । ସୂଚନାମୁତାବକ ଗତବର୍ଷ ଜୁନ୍ ୧୧ ତାରିଖ ପରେ ପ୍ରଥମ ଥର ଲାଗି ସୁନା ଦାମ୍କୁ ଏଭଳି ସ୍ତରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଆମେରିକାରେ ସୁନାର ଆଉନ୍ସ ପିଛା ଦାମ୍ ୧୮୭୯ ଡଲାର ରହିଛି । ତେବେ ସୁନା ଦର ବୃଦ୍ଧି ପାଇବା ଦ୍ବାରା ଗ୍ରାହକ ମାନେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।