ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ। ଯାହାକି ୫ ଟି ପର୍ଯ୍ୟାୟରେ ହେବ। ଭୋଟ ଗ୍ରହଣ ୧୬ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ସରିବ। ଏହି ନିର୍ବାଚନରେ ମୋଟ ୨ କୋଟି ୭୯ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପୋଲିଂ ପାର୍ଟି ଆଜି ଅପରାହ୍ନ ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ୩୦ ଟି ଜିଲ୍ଲାର ୭୧ ଟି ବ୍ଲକର ୧,୬୬୯ ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ତାଙ୍କର ମତ ସାବ୍ୟସ୍ତ କରିବେ । ଏଥି ମଧ୍ୟରୁ ୩,୩୫୭ ବୁଥ ଉତ୍ତେଜନା ପ୍ରବଣ ଅଟେ । ଏହି ନିର୍ବାଚନରେ ମୋଟ ୩୭,୨୪୫ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏହାସହ ମୋଟ ୨୨୫ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି । ଚଳିତ ବର୍ଷ ମୋଟ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।
ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ତ୍ଵାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ ଗ୍ରହଣ ସକାଳ ୭ଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଭୋଟ ଦେବା ପାଇଁ ଜଣେ ଭୋଟର ପଞ୍ଚାୟତି ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ସଂପୃକ୍ତ ଭୋଟରଙ୍କର ନାମ ଥିବା ଜରୁରୀ ଅଟେ । ଭୋଟରମାନେ ନିର୍ବାଚନ କମିଶନ , ଭାରତଙ୍କ ଦ୍ବାରା ପ୍ରଦତ୍ତ ଭୋଟ ପରିଚୟ ପତ୍ର ( EPIC ) ଦେଖାଇ ଭୋଟ ଦେଇ ପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟ ପତ୍ର ନ ଥାଏ , ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରା ଅନୁମୋଦିତ ଲାଭ କରିଥିବା ୧୩ ଟି ଦସ୍ତାବିଜ ମଧ୍ୟରୁ ଯେ କୌଣସି ଗୋଟିଏ ଦସ୍ତାବିଜ ଦେଖାଇ ଭୋଟ ଦେଇ ପାରିବେ ବୋଲି ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନାଦେଇଛନ୍ତି । ଉକ୍ତ ପରିଚୟ ପତ୍ର ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନେ ବ୍ୟବହାର କରିପରିବେ । ଚଳିତ ନିର୍ବାଚନ କୋଭିଡ କଟକଣା ମଧ୍ୟରେ ଭୋଟଙ୍ଗ ଅନୁଷ୍ଠିତ ହେବ। ଏଣୁ ପ୍ରତ୍ୟେକ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।