ସନଷ୍ଟାର ଟିଭି ବ୍ୟୁରୋ
କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ତିନି ଜଣ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି। ବରିଷ୍ଠ ଆଇନଜୀବୀ ଭି . ନରସିଂହ , ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ.ଏସ.ରମଣ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଉଚ୍ଚ ନ୍ୟାୟାଳୟର ନୂତନ କୋଠାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ବିଚାରପତି ଏସ୍ . ମୁରଲୀଧର ଏହି ତିନି ବରିଷ୍ଠ ଆଇନଜୀବୀଙ୍କୁ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ଉଚ୍ଚ ନ୍ୟାୟାଳୟର ବିଚାରପତିବୃନ୍ଦ , ବରିଷ୍ଠ ଆଇନଜୀବୀ ଓ ଆଇନଜୀବୀଙ୍କ ସମେତ କେତେଜଣ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହବିଭାଗ ପ୍ରମୁଖ ଶାସନ ସଚିବ ଓ ଉଚ୍ଚ ନ୍ୟାୟାଳୟ ରେଜିଷ୍ଟ୍ରାର ଜେନେରାଲ ଉତ୍ସବରେ ଉପସ୍ଥିତ ରହିଥିଲେ। କୋଭିଡ୍ କଟକଣା ମଧ୍ୟରେ ସୀମିତ ଉଚ୍ଚ ନ୍ୟାୟାଳୟ ବିଚାର ବିଭାଗୀୟ ଅଧିକାରୀ ଓ ଆଇନଜୀବୀଙ୍କୁ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ , ତିନିଜଣ ବରିଷ୍ଠ ଆଇନଜୀବୀଙ୍କ ବିଚାରପତି ଭାବେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଗୁରୁବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା । ଆଇନଜୀବୀ ଭି.ନରସିଂହ , ସଞ୍ଜୟ କୁମାର ମିଶ୍ର , ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ . ଏସ . ରମଣଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ ସୁପାରିସ କରିଥିଲେ । ଏହି ନିଯୁକ୍ତି ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି।