ସନଷ୍ଟାର ଟିଭି ବ୍ୟୁରୋ
ଉଦଳା:କାଠ ମାଫିଆଙ୍କ ଦାଦାଗିରି । ରାତିରେ କାଠ ଚୋରା ଚାଲାଣ ଚାଲିଥିବା ବେଳେ ବନବିଭାଗ ଚଢାଉ କରିଥିଲା । ହେଲେ ମାଫିଆମାନେ ବନବିଭାଗ କର୍ମଚାରୀଙ୍କ ଗାଡିକୁ ଧକ୍କା ଦେଇ ଖସିଯିବା ସହିତ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ତୟାର ହୋଇଥିଲେ । ଏଭଳି ଘଟଣା ଘଟିଛି ଉଦଳା ବନବିଭାଗ ଅଧିନ ଗୋଧିମରା ଛକ ନିକଟରେ । ଉଦଳା ବନବିଭାଗ ଅଧିନ ଦେବକୁଣ୍ଡରୁ ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାଗୁଆନ କାଠ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଅଂଚଳକୁ ଚୋରା ଚାଲାଣ ହେଉଥିଲା । ଏହାର ଖବର ପାଇ ଗତକାଲି ରାତିରେ ବନବିଭାଗ କର୍ମଚାରୀମାନେ ଗୋଧିମରା ଛକ ନିକଟରେ ଚୋରା ଚାଲାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଚୋରା ଗାଡିକୁ ଆଉ ଚାରି ଗୋଟି ପଲସର ବାଇକରେ ୮ ଜଣ ମାଫିଆ ସୁରକ୍ଷା ଦେଇ ନେଉଥିବାରୁ ସେମାନେ ଗାଡିର ଡ୍ରାଇଭରକୁ ବନବିଭାଗ ଗାଡିକୁ ଧକ୍କା ଦେବାକୁ କହିଥିଲେ । ଡ୍ରାଇଭର ଗାଡିକୁ ଧକ୍କା ମଧ୍ୟ ଦେଇଥିଲା । ହେଲେ ବନବିଭାଗ କର୍ମଚାରୀ କାଠ ବୋଝେଇ ଗାଡି ଧରିବାକୁ ଯିବାରୁ ବାଇକରେ ଥିବା ୮ ଜଣ ମାଫିଆ ଖସି ଚାଲିଯିବା ସହିତ କାଠ ବୋଝେଇ ଗାଡିରେ ଥିବା ଅନ୍ୟ ଜଣେ ମାଫିଆ ଖସି ଚାଲିଯାଇଥିଲେ । ବନବିଭାଗ କେବଳ ଗାଡିଟିକୁ କାଠ ସହିତ ଜବତ କରିଥିବା ବେଳେ ଗାଡିର ଡ୍ରାଇଭରକୁ ଗିରଫ କରିଛି । ଗିରଫ ଡ୍ରାଇଭର ନିକଟରୁ ଗୋଟିଏ ଭୁଜାଲି ମଧ୍ୟ ଜବତ ହୋଇଛି । ଗିରଫ ଡ୍ରାଇଭର ଜଣକ ସଜନାଗଡ ଅଂଚଳର ମାନସ କୁଅଁର । ତେବେ ଚୋରା ଗାଡି ଧକ୍କାରେ ବନବିଭାଗ ଗାଡିର ଲାଇଟ୍ ଭାଙ୍ଗିବା ସହିତ ଗାଡିଟି ଚେପା ହୋଇଯାଇଛି ।