ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାରେ ରାତି ତାପମାତ୍ରା ସ୍ଵାଭାବିକଠାରୁ ତଳକୁ ଖସିବାରେ ଲାଗିଛି । ଫୁଲବାଣୀ , କୋରାପୁଟ , ସୁନ୍ଦରଗଡ , କେନ୍ଦୁଝର ଏବଂ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଉପରୋକ୍ତ ଅଞ୍ଚଳରେ ଶୀତ ପ୍ରକୋପ ଜାରି ରହିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ପ୍ରାୟ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ , ଝାରସୁଗୁଡା , କେନ୍ଦୁଝର , ସୋନପୁର , ବଲାଙ୍ଗୀର ଏବଂ ବରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ଦୁଇଦିନ ଯାଏଁ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବ । ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ସୂଚନାମିଳିଛି। ଏହାସହ ରାଜ୍ୟର କିଛି ସ୍ଥାନରେ ବର୍ଷା ହେଇଛି। ଯାଜପୁର , ଜଗତସିଂହପୁର , କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଶୁକ୍ରବାର ସକାଳେ ମାଲକାନଗିରି , ରାୟଗଡା , ଗଜପତି , କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି ।