ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ହାଇକୋର୍ଟ କାଏମ ରଖିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ସଂଶୋଧିତ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ମାମଲାର ଶୁଣାଣି କରି ସୋମବାର ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଏସ୍ . ମୁରଲୀଧର ଓ ବିଚାରପତି ଏ . କେ . ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ରାୟ ଦେବା ସହ ମାମଲାକୁ ଖାରଜ କରିଦେଇଛନ୍ତି । ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ – ୨୦୨୦କୁ ବିରୋଧ କରି ପ୍ରଫେସର ଅଜିତ କୁମାର ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ , ସଂଶୋଧିତ ଆଇନ ୟୁଜିସି ନିୟମାବଳୀକୁ ଉଲଂଘନ କରୁଛି । ଏଣୁ ସଂଶୋଧିତ ଆଇନକୁ ଖାରଜ କରିବାକୁ ଆବେଦନରେ ଦର୍ଶାଯାଇଥିଲା । ହାଇକୋର୍ଟ ପ୍ରାଥମିକ ଶୁଣାଣି କରି ଉଚ୍ଚଶିକ୍ଷା ବିଭାଗ , ୟୁଜିସି ପ୍ରମୁଖଙ୍କୁ ନୋଟିସ୍ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ମୁଖ୍ୟ ତାଙ୍କ ଜବାବ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଉପସ୍ଥାପନ କରିଥିଲେ ।