ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦୁଝର: ଗତ ଦିନ କେଇଟା ପୁର୍ବରୁ ପରିତ୍ୟକ୍ତ ହୋଇ ପଡିଥିବା ପଡିଆ ଆଜି ଝଲସି ଉଠିଛି । ଧାଡି କି ଧାଡି ବିଭିନ୍ନ କିସମର ବୃକ୍ଷଲତା ସାଙ୍ଗକୁ ରଙ୍ଗିନ ଆଲୋକରେ ଝଲସି ଉଠୁଛି ଗ୍ରାମୀଣ ପାର୍କ । ଦ୍ୱାର ଦେଶର ସୁନ୍ଦର ତୋରଣ ଓ ପ୍ରାଚୀରରେ ବିଭିନ୍ନ ସଚେତନତା ବାର୍ତ୍ତା ର ପ୍ରତିଛବି ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଯେ ବି ଟିକେ ପାର୍କ ଭିତରକୁ ଯାଉଛି କିଛିସମୟ ବୁଲାବୁଲି ନକରି ସହଜରେ ଫେରି ପାରୁନି। ଛୁଆ ଠାରୁ ବୁଢ଼ା ସମସ୍ତେ ପ୍ରସଂଶା କରିବାରେ ଲାଗିଛନ୍ତି । ଏପରି ସମ୍ଭବ ହୋଇଛି ବଡରମ୍ପାସ ପଞ୍ଚାୟତର ସରପଞ୍ଚ କାବେରୀ ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ।
ସୂଚନାମୁତାବକ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର କଡକୁ ଲାଗି ରହିଥିବା ପରିତ୍ୟକ୍ତ ପଡିଆକୁ ଏକ ପାର୍କ ନିର୍ମାଣ କରିବାର ସ୍ୱପ୍ନ ଦେଖି ସରପଞ୍ଚ କାବେରୀ ସାହୁ। ତତକାଳୀନ ବିଡିଓଙ୍କ ପରାମର୍ଶ କ୍ରମେ ମନରେଗା ଯୋଜନାରେ ଆରମ୍ଭ କରିଥିଲେ ପାର୍କ ନିର୍ମାଣ କାର୍ଯ୍ୟ । ଏଥିପାଇଁ ସେ ରାଜ୍ୟର ବିଭିନ୍ନ ପାର୍କ ବୁଲିବା ପରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଭୁବନେଶ୍ୱରରୁ କୁଶଳୀ କାରିଗର ମାନଙ୍କୁ ଡାକି ଅତ୍ୟାଧୁନିକ ପାର୍କ ନିର୍ମାଣ କରିଥିଲେ । ଏହି ପାର୍କରେ ଛୁଆମାନଙ୍କୁ ଆକର୍ଷଣ କରିବାପାଇଁ ବିଭିନ୍ନ କିସମର ଦୋଳି ସହିତ ବନ୍ୟପ୍ରାଣୀଙ୍କ ପ୍ରତିମୃତି ସ୍ଥାପନ କରାଯାଇଛି । ବୟସ୍କ ତଥା ଯୁବକ ଯୁବତୀ ମାନଙ୍କ ବ୍ୟାୟାମ ପାଇଁ ଓପନ ଜିମ୍ର ସ୍ଥାପନ କରିବା ସହିତ ଲୋକଙ୍କ ବସିବାପାଇଁ ଚାରିପଟେ ସିମେଣ୍ଟ ତିଆରି ଚୌକି ପକାଇଛନ୍ତି । ଘାସ ଗାଲିଚା, ୱାଟର ଫାଉଣ୍ଟେନ ସହିତ ବିଭିନ୍ନ ରଙ୍ଗିନ ଆଲୋକରେ ପାର୍କଟିକୁ ସଜାଇଥିବାବେଳେ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇ ପାରିଛି ।
ଏହି ଗ୍ରାମୀଣ ପାର୍କକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ହାଟଡିହି ବିଡିଓ ବିନୀତା ବିଜୟିନୀ, ସମିତିସଭ୍ୟା ପ୍ରଭାତିଲତା ସୁତାର ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି ଗ୍ରାମୀଣ ପାର୍କଟି ଜିଲ୍ଲାର ଏକନମ୍ବର ମାନ୍ୟତା ପାଇବ ବୋଲି ପ୍ରକାଶ କରିଛନ୍ତି । ଏହି ପାର୍କର ମନୋରମ ସୌନ୍ଦଯ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ଅଞ୍ଚଳରୁ ନିୟମିତ ଶହ ଶହ ଲୋକ ଆସୁଥିବା ବେଳେ ଆଗାମୀ ଦିନରେ କିପରି ଏହାର ଯତ୍ନ ନିଆଯାଇ ପାରିବ ସେନେଇ ଗ୍ରାମବାସୀ ଚିନ୍ତାବ୍ୟକ୍ତ କରିଛନ୍ତି ।
ଏକ ପରିତ୍ୟକ୍ତ ପଡିଆରେ ଯେ ଏପରି ମନୋଲୋଭା ଉଦ୍ୟାନଟି ସୃଷ୍ଟି ହୋଇ ପାରିବ ତାହା କରି ଦେଖାଇଛନ୍ତି ସରପଞ୍ଚ କାବେରୀ ସାହୁ, ଯାହାକି ଅନ୍ୟ ପଞ୍ଚାୟତ ଗୁଡିକ ପାଇଁ ଉଦାହରଣ ସାଜିଛି ।(ରିର୍ପୋଟ:ପାର୍ଥ ସୌରଭ ସା)