ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପଶ୍ଚିମାଝଡ଼ ଏବଂ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା , ଉତ୍ତର – ଉପକୂଳ ଓଡ଼ିଶାର ଅଧିକାଶଂ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ କରାଯାଇଛି । ନରାଜ ଠାରେ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ନରସିଂହପୁର , ମାଲକାନଗିରି , ପୁରୁଷୋତ୍ତମପୁର ( ଗଞ୍ଜାମ ) , ରାଇଘର ( ନବରଙ୍ଗପୁର ) , ମୋହନା , ମୁନ୍ନିଗୁଡ଼ା , ଉମରକୋଟ , ନର୍ଲା , ଆଖୁଆପଦା ( ଭଦ୍ରକ ) , ଗୋପାଳପୁର , ଭଦ୍ରକ , ବେଲପଡ଼ା ( ବଲାଙ୍ଗିର ) ଏବଂ ଧାମନଗରରେ ୩ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଭୁବନେଶ୍ୱରସହରରେ ୫.୨ ମିଲିମିଟର ବର୍ଷା ହୋଇଛି । କଳାହାଣ୍ଡି ଠାରେ କୁଆପଥର ବର୍ଷା ହୋଇଥିବାର ଚିତ୍ର ଦେଖିବାକୁ ମିଳିଛି । ଆଗାମୀ ୨୪ ଘଣ୍ଟାରେ କନ୍ଧମାଳ , କଳାହାଣ୍ଡି , ରାୟଗଡ଼ା , ବୌଦ୍ଧ , ଗଞ୍ଜାମ , ଗଜପତି , ନୟାଗଡ଼ , ଅନୁଗୁଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ଏବଂ ପ୍ରବଳ ବର୍ଷା ( ୬ ରୁ ୧୧ ସେଣ୍ଟିମିଟର ) ର ସମ୍ଭାବନା ରହିଛି । ଏଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିଭଳି ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି , କୋରାପୁଟ , ନବରଙ୍ଗପୁର , ବଲାଙ୍ଗିର , ସମ୍ବଲପୁର , ଢେଙ୍କାନାଳ , ଖୋର୍ଦ୍ଧା , ପୁରୀ , କଟକ ଓ ସୋନପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏଥିପାଇଁ ସତର୍କ ରହିବାକୁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।ଏହାପରେ ରାଜ୍ୟରେ ରାତ୍ରି ତାପମାତ୍ରା ମଧ୍ୟ ହ୍ରାସ ହେବ ବୋଲି ପାଣିପାଗ ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ ସୂଚନା ଦେଇଛନ୍ତି।