ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଋଣଜାଲରେ ଶ୍ରୀଲଙ୍କା। ଚୀନ୍ର ଋଣଜାଲରେ ଫସିଥିବା ପଡ଼ୋଶୀ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଦେଶରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି । ଏହି ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଶ୍ରୀଲଙ୍କା ସରକାର ଭାରତ ସରକାରଙ୍କ ନିକଟରେ ୧ ଅରବ ଡଲାର ଋଣ ଆବେଦନ କରିଛନ୍ତି । ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣର ଅଜିତ୍ ନିଭାର୍ଡ କାଟ୍ରାଲ୍ ଆବଶ୍ୟକୀୟ ସାମଗ୍ରୀର ଆମଦାନୀ କରିବା ନେଇ ଭାରତ ସରକାରଙ୍କ ସହିତ ୧ ଅରବ ଡଲାର ଋଣ ପାଇଁ କଥାବାର୍ତ୍ତା ଜାରି ରହିଛି ବୋଲି ସୂଚନାଦେଇଛନ୍ତି । ଏହାଦ୍ଵାରା ଶ୍ରୀଲଙ୍କା ସରକାରଙ୍କୁ ନିଜ ଋଣ ପଇଠ କରିବା ନେଇ ସହାୟତା ମିଳିବା ସହିତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟରେ ମଧ୍ୟ ବୃଦ୍ଧି ଘଟିବ । ଏହି ଋଣ ଖାଦ୍ୟ ପଦାର୍ଥ ଆମଦାନୀ କ୍ଷେତ୍ରରେ ହିଁ ସୀମିତ ରହିବ । ସୂଚନାଯୋଗ୍ୟ ଯେ ଆମଦାନୀ ପାଇଁ ଆବଶ୍ୟକୀୟ ଡଲାର୍ ସଙ୍କଟ ଯୋଗୁଁ ଶ୍ରୀଲଙ୍କା ବର୍ତ୍ତମାନ ଘୋର ସଙ୍କଟ ଦେଇ ଗତି କରୁଛି। ଦେଶରେ ଆବଶ୍ୟକୀୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଯାହାର ପରିଣାମ ଭୋଗୁଛନ୍ତି ସେଠାକାର ବାସିନ୍ଦା। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଯୋଗୁଁ ମୁଦ୍ରାସ୍ପତି ରେକର୍ଡ ସ୍ତରରେ ୨୨ % ରହିଛି । କରୋନା ଯୋଗୁଁ ଆୟର ପ୍ରମୁଖ ସ୍ରୋତ ଟୁରିଜିମ୍ ପ୍ରଭାବିତ ହୋଇଛି । ବିଶ୍ବ ବ୍ୟାଙ୍କ୍ର ରିପୋର୍ଟ ଅନୁସାରେ ଦେଶର ୫ ଲକ୍ଷ ଲୋକ ଅତି ଗରିବ ସ୍ତରରେ ପହଞ୍ଚିଯାଇଛନ୍ତି । ଘରୋଇ ଗ୍ୟାସ ଦରରେ ୮୫% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମହାମାରୀ , ଋଣ ଓ ତୈଳ ଦର ବୃଦ୍ଧି ଶ୍ରୀଲଙ୍କାର ଆର୍ଥିକ ବ୍ୟବସ୍ଥାକୁ ଧ୍ବଂସ କରିଦେଇଛି । ସେଠାକାର ଲୋକ ମାନଙ୍କୁ ତିନି ଓଳା ଖାଇବାକୁ ମିଳୁ ନାହିଁ। ଅହେତୁ ଦରଦାମ ର ବୃଦ୍ଧି ହେତୁ ଲୋକମାନେ କଣ କରିବେ ଜାଣି ପାରୁ ନାହାନ୍ତି। ଶୁଖିଲା ସାମଗ୍ରୀ ଗୁଡିକ ମଧ୍ୟ କିଣିବାରେ ଲୋକ ମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡୁଛି।