ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶା ସଂସ୍କୃତିର ଗନ୍ତାଘର। କାହିଁ କେତେ ଯେ ପର୍ବପର୍ବାଣୀ ରହିଛି ଆମର ଏହି ରାଜ୍ୟରେ। ତେବେ ଏହା ଭିତରେ ଏକ ଭିନ୍ନ ଏବଂ ଅନନ୍ୟ ପର୍ବଟିଏ ହେଲା ଶାମ୍ବ ଦଶମୀ। ଶାମ୍ବ ଦଶମୀ ଓଡ଼ିଆ ଘରର ଏକ ମୁଖ୍ୟ ପର୍ବ । ଘରେଘରେ ଲୋକେ ଏଇ ପର୍ବକୁ ଶମ୍ବର ଦଶମୀ ଭାବେ ପାଳନ କରନ୍ତି । ପ୍ରବାଦ ଅଛି ଯେ , ଶାମ୍ବ ଏହି ଦିନ ସକଳ ଶକ୍ତିର ଅଧାର ସୂର୍ଯ୍ୟ ଦେବଙ୍କୁ ପୂଜା କରି କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ । ହିନ୍ଦୁ ଘରର ନାରୀମାନେ ନିଜ ପିଲାର ମଙ୍ଗଳ , ଦୀର୍ଘ ଜୀବନ କାମନା କରି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି । ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା ସହ ତିନୋଟି ଧୂପ କରି ପୂଜା କରାଯାଏ । ପ୍ରଥମ ଧୂପଟି ବ୍ରାହ୍ମ ମୁହୂର୍ତ୍ତରେ ହୁଏ । ଦ୍ୱିତୀୟ ଧୂପଟି ଦିବା ୧୨ ଘଟିକା ସମୟରେ କରାଯାଇଥାଏ । ଏହି ଧୂପରେ ଯାଉ , ଖେଚେଡ଼ି ଇତ୍ୟାଦି ପୂଜା ନୈବେଦ୍ୟ ବଢ଼ାଯାଏ । ତୃତୀୟ ଧୂପଟି ସୂର୍ଯ୍ୟାସ୍ତ ବା ଗୋଧୂଳି ବେଳାରେ ସମାପିତ ହୁଏ । ଏହି ଧୂପଟିରେ ପିଠାପଣା ଇତ୍ୟାଦି କରି ପୂଜା କରାଯାଏ । ସ୍ଥାନେ ସ୍ଥାନେ ଏହା ଗୋଟିଏ ଥର କରେ ମଧ୍ୟ ବଢ଼ା ଯାଏ। ଏହି ଦିନ ଓଡିଆଙ୍କ ଘରେ ନାନା ପିଠା ପଣା ମାନ ତିଆରି କରାଯାଏ। ସବୁ ଠାରେ ପିଠା ପଣାର ସୁଅ ଛୁଟେ।