ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏକ ବୈଠକରେ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ ସଂକ୍ରମଣ ବଢୁଥିଲେ ମଧ୍ୟ ୯୭ % ରୋଗୀଙ୍କୁ ହସ୍ପିଟାଲ ଦରକାର ପଡୁନାହିଁ । ରାଜ୍ୟରେ ବର୍ତ୍ତମାନ ଯେତିକି କୋଭିଡ ଶଯ୍ୟା ରହିଛି ତା’ର ମାତ୍ର ୩ % ବ୍ୟବହାର ହେଉଛି । ୧୧ % ଆଇସିୟୁ ଶଯ୍ୟା ଏବଂ ୩ % ଭେଣ୍ଟିଲେଟର ବ୍ୟବହାର କରାଯାଉଛି । ତେଣୁ ପରିସ୍ଥିତିକୁ ଭୟ ନକରି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ପ୍ରତ୍ୟେକ କୋଭିଡ ରୋଗୀଙ୍କୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଡାକ୍ତର , ନର୍ସମାନଙ୍କୁ ବୁଷ୍ଟର ଡୋଜ ଟିକା ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ପୂର୍ବରୁ ଉପଲବ୍ଧ ଟିକା ବୁଷ୍ଟର ଡୋଜ ଆକାରରେ ବ୍ୟବହାର କରିବାକୁ ସିଡିଏମଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି । ଏଥି ସହିତ ଜିଲ୍ଲାପାଳମାନେ କୋଭିଡ ହସ୍ପିଟାଲ ବୁଲି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ପରିବାର ସଦସ୍ୟ ଏବଂ ରୋଗୀଙ୍କସମ୍ପର୍କୀୟଙ୍କ ସହ ଯୋଗାଯୋଗ ପାଇଁ ହେଲପ ଡେସ୍କ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ରୋଗୀ କିଭଳି ଡାକ୍ତରଖାନାରେ ଅବହେଳିତ ଅନୁଭବନ କରନ୍ତି ସେଥପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ପରିବାରର ସଦସ୍ୟମାନଙ୍କୁ ମଧ୍ୟ ରୋଗୀଙ୍କ ଅବସ୍ଥା ବିଷୟରେ ନିୟମିତ ଭାବେ ଜଣାଇବା ଉଚିତବୋଲି ସେ ଗୁରୁତ୍ବାରୋପ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଛନ୍ତି ଯେ , ଦ୍ବିତୀୟ ଲହରକୁ ମୁକାବିଲା କରିବା ପାଇଁ ରଖାଯାଇଥିବା ସମସ୍ତ ସୁବିଧା ଏବଂ ବ୍ୟବସ୍ଥାକୁ ପୂର୍ଣ୍ଣ ଶକ୍ତି ସହିତ ପୁନଃ ସକ୍ରିୟ କରାଯିବା ଉଚିତ । ଆବଶ୍ୟକତା ଅନୁଯାୟୀ ଅବସରପ୍ରାପ୍ତ ଡାକ୍ତର ଏବଂ ନର୍ସମାନଙ୍କୁ ସ୍ଥାନୀୟ ଭାବରେ ନିଯୁକ୍ତି ଦେବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟ ଏବଂ କେନ୍ଦ୍ରୀୟ ପିଏସୟୁ ଏବଂ କୋଭିଡ ଡାକ୍ତରଖାନା ମଧ୍ୟରେ ସମସ୍ତ ପ୍ରକାର ସହଯୋଗର ନିଶ୍ଚିତ କରିଥିଲେ । ଜିଲ୍ଲାପାଳମାନଙ୍କୁ ଅନ୍ୟାନ୍ୟ ଅତିରିକ୍ତ ଆବଶ୍ୟକତା ସମ୍ପର୍କରେ ପଚାରି , ସେମାନଙ୍କୁ ପ୍ରଥମିକତା ଭିତ୍ତିରେ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ମେଡିକାଲ ଗୁଡିକୁ ଯାଇ ସେଠାକାର ସ୍ଥିତିକୁ ପରକ୍ଷିବାକୁ ନିର୍ଦ୍ଦେଶ ଦେଇଛନ୍ତି।