ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫେରେନ୍ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍ସ ମେକାନିକ୍ ଓ ଡ୍ରେସ ମେକିଂ ପରି ୪ଟି ଟ୍ରେଡ୍ରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଆଉ ଅଧିକ ଟ୍ରେଡରେ ତାଲିମ ଦେବାର ବ୍ୟବସ୍ଥା କରାଯିବ। ଏଥିରେ ଆଧୁନିକ ଲାବୋରେଟୋରୀ, ୱାର୍କସପ୍, ହଷ୍ଟେଲ ଆଦି ସମସ୍ତ ସୁବିଧା କରାଯାଇଛି ।
ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ସହିତ ଦକ୍ଷ ଯୁବକଯୁବତୀଙ୍କର ଆବଶ୍ୟକତା ମଧ୍ୟ ରହିଛି । ଓଡିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ Skilled in Odisha କାର୍ଯ୍ୟକ୍ରମକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ବିଶ୍ବ ନିଯୁକ୍ତି ବଜାରରେ ଓଡିଶାର ପିଲାମାନଙ୍କର ଚାହିଦା ସବୁଠାରୁ ଅଧିକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଓଡିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ଶ୍ରେଷ୍ଠ ଶହେଟି ମଧ୍ୟରେ ଓଡିଶାର ୧୦ଟି ଆଇଟିଆଇ ସ୍ଥାନ ପାଇଛନ୍ତି । ଏହା ଏକ ଗୌରବର କଥା ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଓଡିଶାର ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗୀତାରେ ଉନ୍ନତ ପ୍ରଦର୍ଶନ କରି ଓଡିଶା ପାଇଁ ସୁନାମ ଆଣୁଛନ୍ତି। ଆଗାମୀ ଦିନରେ ମଧ୍ୟ ଓଡିଶାର ପିଲାମାନେ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା କହିଲେ ଯେ କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ଓ ସମୁଦ୍ର ମଧ୍ୟରେ ୧୪ଟି ପଞ୍ଚାୟତର ଏକ ଦୁର୍ଗମ ଅଞ୍ଚଳ । ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପନ ନେଇଛନ୍ତି । ଆଜି ଆଇଟିଆଇ ସ୍ଥାପନ ଦ୍ବାରା ଏହି ଅଞ୍ଚଳରେ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ଶିକ୍ଷା ଓ ତାଲିମ ପ୍ରତି ଆକୃଷ୍ଟ ହେବେ ବୋଲି ସେ ମତ ଦେଇଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି କହିଥିଲେ ଯେ ରାଜ୍ୟରେ ଗ୍ରୀନ କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ତେଣୁ ଆଇଟିଆଇ କ୍ୟାମ୍ପସରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବାଗତ ଭାଷଣ ଦେଇଥିଲେ । ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।