ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ:କୋରାପୁଟ ଗନ୍ ପଏଣ୍ଟରେ ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ଐଶର୍ଯ୍ୟ ବିଶ୍ବାଳଙ୍କ ନେତୃତ୍ବରେ ପୀଡ଼ିତାଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିବା ପରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛି ବିଜେପି । ଗତ ୩୧ ଡିସେମ୍ବରରେ ଜୟପୁର ଯାଇ ପୀଡ଼ିତାଙ୍କୁ ଭେଟିଥିଲା ୪ଜଣିଆ ବିଜେପି ପ୍ରତିନିଧି ଦଳ। ୨୪ ଡିସେମ୍ବରରେ ସ୍ଵାମୀଙ୍କୁ ଗନ୍ ପଏଣ୍ଟରେ ରଖି ଜଣେ ମହିଳା ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ଲାଲ ବାହାଦୁର ଆଉ ମୀନ ବାରିକ ବିଜେଡ଼ି ସହ ଜଡ଼ିତ। ତାଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ତେଣୁ ସରକାର ସେମାନଙ୍କୁ ପୋଲିସ ମାଧ୍ୟମରେ ସୁରକ୍ଷା ଦେଉଛନ୍ତି ବୋଲି ବିଜେଡି ସୂଚନା ଦେଇଛି । ବିଜେଡ଼ି ଏହି ଘଟଣାକୁ ବର୍ତ୍ତମାନ ଚାପିବାକୁ ଉଦ୍ୟମ କରୁଛି। ପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଗିରଫ ବିଳମ୍ବ କରୁଛନ୍ତି। ୩୦ ରେ କୋରାପୁଟ ବାସିନ୍ଦା ବନ୍ଦ କରିଥିଲେ। ଜୟପୁରର ଆଇନଶୃଙ୍ଖଳା ବିଗିଡିଛି। ପୁରା ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି। ତେଣୁ ଶୀଘ୍ର ଅଭିଯୁକ୍ତ ଗିରଫ ହୁଅନ୍ତୁ ଆଉ ପୀଡ଼ିତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଚେତାବନୀ ଦେଲା ବିଜେପି ମହିଳା ମୋର୍ଚ୍ଚା।(ରିର୍ପୋଟ:ଆଶିଷ କୁମାର ରାଉତ)