ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କବି ଡ . ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ ମହୁରି ସମ୍ମାନ ” । ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ . ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ ( ସୋଆ ) ପରିଚାଳିତ ପ୍ରିଜରଭେସନ୍ , ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ ( ପ୍ରାଚୀନ ) ର ମୁଖ୍ୟ ଡ . ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା ଜାନୁଆରୀ – ୨୦୨୨ରେ ମହୁରୀ ମହୋତ୍ସବ – ୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ମୁଖ୍ୟ ସଂପାଦକ ଡ . ଭବାନୀଶଙ୍କର ନିଆଲ୍ ଘୋଷଣା କରିଛନ୍ତି ।
ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ପ୍ରତିଭାବାନ ସାହିତ୍ୟିକ ଓ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଡ . ପଣ୍ଡାଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ବର ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ “ ମହୁରି ସମ୍ମାନ ” ପ୍ରଦାନ କରାଯାଉଛି ।
ଜଗତସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ . ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି । କବିତା , ଗଳ୍ପ , ପ୍ରବନ୍ଧ , ଉପନ୍ୟାସ ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତିକ ଫିଚର ରଚନା କରନ୍ତି । ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚ୍ଡି ହାସଲ କରିଥିବା ଡ . ପଣ୍ଡା ସାମ୍ବାଦିକତାକୁ ନିଜର ବୃତିଭାବରେ ଗ୍ରହଣ କରିଛନ୍ତି । ଏଯାବତ ତାଙ୍କର ୧୧ଟି କବିତା ସଂକଳନ , ୨ଟି ଗଳ୍ପ ସଂକଳନ , ଖଣ୍ଡିଏ ପ୍ରବନ୍ଧ ପୁସ୍ତକ , ୨ଟି ଉପନ୍ୟାସ ପ୍ରକାଶ ହୋଇସାରିଥିବା ବେଳେ ୨ଟି ଯନ୍ତ୍ରସ୍ଥ ରହିଛି । ଡ . ପଣ୍ଡାଙ୍କର ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।
୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଡ . ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ୨୦୧୫ରେ ସେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସତର ଦିନ ଅବସ୍ଥାନ କରିଥିଲେ । ଏଯାବତ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ । କେବଳ ସାହିତ୍ୟ ରଚନା ନୁହେଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ବର୍ଣ୍ଣପଦକ ପାଇଛନ୍ତି । ଡ . ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା “ ଅନ୍ୟା ” ର ସଂପାଦକ ଅଟନ୍ତି । ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ , ପ୍ରଚାର ଓ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ କେନ୍ଦ୍ରର ମୁଖ୍ୟ ଡ . ପଣ୍ଡା ଅନେକ ସୃଜନଶୀଳ କାର୍ଯ୍ୟ ହାତକୁ ନେଇଛନ୍ତି ।