ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜାନୁୟାରୀ ୩ରୁ କ୍ଲାସ ରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ଜାନୁୟାରୀ ୩ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ Summative-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ। ରାଜ୍ୟରେ କରୋନା ମାମାଲା ବଢ଼ୁଥିବାରୁ ରାଜ୍ୟରେ ବିଦ୍ୟାଳୟ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଥିବାରୁ ପ୍ରଥମେ ଦଶମ ଏବଂ ପରେ ନବମ,ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଶୀତଛୁଟି ପାଇଁ ବିଦ୍ୟାଳୟ ବନ୍ଦ କରାଯାଇଛି। ଯାହାକି ଆସନ୍ତା ନୂତନ ବର୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଷ୍ପତ୍ତି ନେଇଛନ୍ତି।