ସନଷ୍ଟାର ଟିଭି ବ୍ୟୁରୋ
ଭୂବନେଶ୍ୱର: ” ନୈତିକତା ଏବଂ ମୂଲ୍ୟବୋଧ ‘ ଉପରେ ପାଠ୍ୟକ୍ରମଟିଏ ପ୍ରଚଳନ କରିବା ରାଜ୍ୟ ସରକାରଙ୍କର ଏକ ଦୀର୍ଘ ଦିନର ଅଭିଳାଷ । ରାଜ୍ୟର ବହୁ ମାନ୍ୟଗଣ୍ୟ ଶିକ୍ଷାବିତ୍ଙ୍କୁ ନେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ( OSHEC ) ର ଏକାଧିକ ଅଧିବେଶନରେ ଆଲୋଚନା , ପର୍ଯ୍ୟାଲୋଚନା ଓ ବିଶ୍ଳେଷଣ ହେବାପରେ ଆମର ଯୁବପିଢ଼ି ତାଙ୍କର ଦୈନନ୍ଦିନ ଜୀବନ ଭିତରେ ଭେଟୁଥିବା ବିଭିନ୍ନ ସାମାଜିକ , ବ୍ୟକ୍ତିଗତ ଓ ବୃତ୍ତିଗତ ସମସ୍ୟାରୁ କେତୋଟି ନିର୍ବାଚିତ ଉଦାହରଣକୁ ନେଇ ତାହାର ବିଶ୍ଳେଷଣପୂର୍ବକ କିପରି ନିଜପାଇଁ ଆଜିର ସମୟରେ ଉପଯୋଗୀ ନୈତିକତା ଓ ମୂଲ୍ୟବୋଧର ଅବଧାରଣା ନିର୍ମାଣ କରିପାରିବେ , ତାହାର ଭାବବୋଧରୁ ଏହି ପାଠ୍ୟକ୍ରମର ପରିକଳ୍ପନା । ଏହି ପାଠ୍ୟକ୍ରମଟିକୁ ସବୁ କ୍ଷେତ୍ରର ବିଦ୍ୟାର୍ଥୀଙ୍କ ପାଇଁ ଏକ ବାଧ୍ୟତାମୂଳକ ପାଠ୍ୟକ୍ରମ ଭାବେ ରଖିବାର ଯୋଜନା କରାଯାଇଥିବାରୁ ଏହା ଦୈନନ୍ଦିନ ଜୀବନରେ ଉପଯୋଗୀ ଓ ପ୍ରଯୁଜ୍ୟ ନୈତିକତା ଏବଂ ମୂଲ୍ୟବୋଧ ପ୍ରଣାଳୀର ବ୍ୟବହାରିକ ଦିଗକୁ ଗୁରୁତ୍ଵ ଦେଉଛି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି , ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜ ସହିତ ସେମାନଙ୍କର ପାରସ୍ପରିକ ସମ୍ପର୍କ ସମ୍ବନ୍ଧରେ ଏକ ବୃହତ୍ତର ସଚେତନତା ଏବଂ ସମ୍ବେଦନଶୀଳତା ବିକାଶ କରିବା ଏବଂ ସେମାନଙ୍କ ଭିତରେ ଭଲ ଓ ମନ୍ଦ ମଧ୍ୟରେ , ନ୍ୟାୟ ଓ ଅନ୍ୟାୟ ମଧ୍ୟରେ , ଅଭ୍ୟାସରୁ ସୁଅଭ୍ୟାସ ମଧ୍ୟରେ ପାର୍ଥକ୍ୟ କରିବାର କ୍ଷମତାକୁ ବୃଦ୍ଧି କରିବା ଏବଂ ତାଙ୍କ ଭିତରେ ସଚେତନ ନାଗରିକ ଭାବରେ କର୍ତ୍ତବ୍ୟ ପରାୟଣତା , ଦାୟିତ୍ବବୋଧତା ଏବଂ ଅଧିକାରକୁ ଜାଗ୍ରତ କରିବା । ଏହି ପାଠ୍ୟକ୍ରମ ଜୀବନର ସମସ୍ୟାକୁ ସମାଧାନ କରିବାର ମାର୍ଗପ୍ରଦର୍ଶନ କରୁଥିବାରୁ ଏହା ସମସ୍ୟାର ସିଦ୍ଧାନ୍ତକ ଦୃଷ୍ଟିଭଙ୍ଗୀ ଓ ବ୍ୟବହାରିକ ଦିଗ ମଧ୍ୟରେ ଏକ ଯୋଗସୂତ୍ରଭାବେ କାର୍ଯ୍ୟକରିବାର କ୍ଷମତା ରଖୁଛି । ଏଣୁ , ଏହାକୁ ସ୍ନାତକ ପାଠ୍ୟକ୍ରମ ପାଇଁ ଏକ ଦକ୍ଷତା ବୃଦ୍ଧିର ବାଧ୍ୟତାମୂଳକ ପାଠ୍ୟକ୍ରମ ମୋଡେଲ ଭାବରେ ପ୍ରସ୍ତୁତ କରାଯାଇଛି । ସମଗ୍ର ପାଠ୍ୟକ୍ରମକୁ ଛଅଗୋଟି ଏକକ ( ଛଅ କ୍ରେଡିଟ୍ ) ରେ ବିଭକ୍ତ କରାଯାଇଛି ; ଏହାର ପ୍ରତ୍ୟେକ ଏକକ । କ୍ରେଡ଼ିଟ୍ ( 15 ଟି କ୍ଲାସ୍ ) ବିଶିଷ୍ଟ ହେବ ଏବଂ ଏହାକୁ ସବୁ ଅଧ୍ୟୟନ କ୍ଷେତ୍ରରେ ପ୍ରତ୍ୟେକ ସେମିଷ୍ଟାରରେ ପଢ଼ାଯିବ । ପ୍ରତ୍ୟେକ ୟୁନିଟ୍ ଯୁବକଯୁବତୀଙ୍କ ମନରେ ମୂଲ୍ୟବୋଧର ପୁନଃନିର୍ମାଣ ପାଇଁ ଏକ ନିର୍ଦିଷ୍ଟ ସାମାଜିକ ସମସ୍ୟାକୁ ଉପସ୍ଥାପନ କରିବେ । ୟୁନିଟ ବା ଏକକ ଅନୁସାରେ ବହିଗୁଡ଼ିକ ବନ୍ଧେଇ ଆକାରରେ ମିଳିବ ଏବଂ ସଫ୍ଟ କପି OSHEC (https://oshee.nic.in ) ତଥା https://vtputkal.odisha.gov.in ସାଇଟରେ ଉପଲବ୍ଧ ହେବ । ଏହାର ଭିଡିଓ ଲେକଚରଗୁଡ଼ିକ ମଧ୍ୟ ପ୍ରସ୍ତୁତ ହୋଇଛି ଯାହା ସମାନ ୱେବ୍ସାଇଟରେ ମୁକ୍ତ ଭାବରେ ଡାଉନଲୋଡ୍ ଯୋଗ୍ୟ ଭିଡିଓ ଲେକ୍ଚର ଭାବରେ ଉପଲବ୍ଧ ହେବେ ।