ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟରେ ଶୀତର ପ୍ରକୋପ ବଢୁଛି । ସକାଳୁ କୁହୁଡିର ଚାଦର ଦେଖିବାକୁ ମିଳୁଛି। ଅପରାହ୍ନରୁ ଶୀତ ପଡ଼ିବା ଆରମ୍ଭ ହେଉଛି । ସକାଳ ୯ଟା ଯାଏଁ ଶୀତ ଲାଗି ରହୁଛି । ଦାରିଙ୍ଗବାଡ଼ିରେ ପାରଦ ତଳ ମୁହାଁ ହୋଇଛି । କେବଳ ଦାରିଙ୍ଗବାଡ଼ି ନୁହେଁ ଫୁଲବାଣୀ ଏବଂ ବାଲିଗୁଡ଼ାରେ ମଧ୍ୟ ପ୍ରବଳ ଥଣ୍ଡା ପଡୁଛି । ରାତିରେ ବାହାରିବା କଷ୍ଟଦାୟକ ହୋଇପଡୁଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରୁଛି ଯେ ଆଗକୁ ଆହୁରି ଶୀତର ପ୍ରକୋପ ବଢ଼ିବ । ଆଗାମୀ ୪ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ର ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ ବୋଲି ସୂଚନାମିଳୁଛି । ଗତ ୨୪ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ଦ୍ବାରା ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି । ରାଜ୍ୟର ବିଭିନ୍ନ ସ୍ଥାନ ଗୁଡ଼ିକରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି । ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ପାରଦ ୯.୦ ଡିଗ୍ରୀ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦.୬ ଡିଗ୍ରୀ , କେନ୍ଦୁଝରରେ ୧୦.୪ ଡିଗ୍ରୀ , ସୁନ୍ଦରଗଡ଼ରେ ୧୧.୫ ଡିଗ୍ରୀ , ସୋନପୁରରେ ୧୨.୮ ଡିଗ୍ରୀ , ଭବାନୀପାଟଣାରେ ୧୧.୦ ଡିଗ୍ରୀ , ବାଲେଶ୍ବରରେ ୧୩.୯ ଡିଗ୍ରୀ , ଚାନ୍ଦବାଲିରେ ୧୩.ହ ଡିଗ୍ରୀ , କଟକରେ ୧୪.୦ ଡିଗ୍ରୀ , ଭୁବନେଶ୍ଵରରେ ୧୪.୪ ଡିଗ୍ରୀ , ଅନୁଗୋଳରେ ୧୨.୬ ଡିଗ୍ରୀ , ବାରିପଦା ୧୩.୦ ଡିଗ୍ରୀ , ତାଳଚେର ୧୨.୦ ଡିଗ୍ରୀ ଏବଂ ସମ୍ବଲପୁରରେ ୧୩.୫ ଡିଗ୍ରୀ , ହୀରାକୁଦରେ ୧୨.୮ ଡିଗ୍ରୀ , ବଲାଙ୍ଗୀରରେ ୧୨.୮ ଡିଗ୍ରୀ , କୋରାପୁଟରେ ୧୦.୬ ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୧୦.୮ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିବାବେଳେ ମାଲକାନଗିରି ଓ କୋରାପୁଟର କେତେକ ଅଞ୍ଚଳରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଉପକୂଳ ଓଡ଼ିଶାରେ ରାତି ତାପାମାତ୍ରା ୦.୫ରୁ ୧.୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ରୁ ୨ ଡିଗ୍ରୀଯାଏ ତଳକୁ ଖସିଛି ।