ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକ ( ୟୁଜି ) ଓ ସ୍ନାତକୋତ୍ତର ( ପିଜି ) ସେମିଷ୍ଟର ବାର୍ଷିକ ପରୀକ୍ଷା ଅଫଲାଇନ୍ରେ ଶ୍ରେଣୀଗୃହରେ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ଶିକ୍ଷାନୁଷ୍ଠାନ ଅନ୍ଲାଇନ୍ପରୀକ୍ଷା କରିପାରିବେ ନାହିଁ । କିଛି ଦିନ ପୂର୍ବେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ( ୟୁଜିସି ) ପକ୍ଷରୁ ଏନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଥିବାବେଳେ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଏଣିକି ସମସ୍ତ ପରୀକ୍ଷା ପୁରୁଣା ଶ୍ରେଣୀଗୃହରେ ଅନୁଷ୍ଠିତ ହେବ ।
କରୋନା କଟକଣାକୁ ପାଳନ କରି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା କରିବେ । ଏହି ନିୟମକୁ ସଠିକ୍ ଭାବେ ଅନୁପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସୂଚନାଅନୁଯାୟୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ଠିକ୍ ଭାବେ ପରୀକ୍ଷା ହେଉ ନ ଥିବାବେଳେ ପରୀକ୍ଷା ପଦ୍ଧତିକୁ ନେଇ ନାନା ବିବାଦ ଦେଖା ଦେଇଥିଲା । ଏହାସହ ଅନ୍ଲାଇନ୍ ପରୀକ୍ଷାରେ ସ୍ୱଚ୍ଛତା ରହୁ ନ ଥିବା ଅଭିଯୋଗ ହେଉ ଥିବାବେଳେ ବିକଳ୍ପ ମୂଲ୍ୟାୟନ ଯୋଗୁଁ ବିଦ୍ୟାର୍ଥୀଙ୍କର ଦକ୍ଷତା ଠିକ୍ ଭାବେ ମପା ଯାଇପାରୁନି ବୋଲି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନିୟମାବଳୀ ଜାରି କରାଯାଇଛି ।