ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଶୁକ୍ରବାର ଘରୋଇ ଦଳର ଟାଇଟଲ୍ ଅଭିଯାନ ଶେଷ ହୋଇଛି। ଦ୍ଵିତୀୟ ସେମିଫାଇନାଲ୍ରେ ପରାସ୍ତ ହୋଇଛି ଭାରତ । ପୂର୍ବରୁ କ୍ୱାର୍ଟର୍ରେ ଚମତ୍କାର ପ୍ରଦର୍ଶନ ପୂର୍ବକ ବେଲଜିୟମ୍କୁ ହରାଇ ସେମିଫାଇନାଲ୍ରେ ପହଞ୍ଚି ୫ ବର୍ଷର ତଳର ସଫଳତା ଦୋହରାଇବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଜର୍ମାନୀଠାରୁ ୨– ୪ ଗୋଲ୍ରେ ପରାସ୍ତ ହୋଇଛି । ଏହି ମ୍ୟାଚ୍ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଫିକା ରହିଥିବା ବେଳେ ପ୍ରତିଯୋଗିତାରେ ନିଜର ଅପରାଜେୟ ଧାରାକୁ ବଜାୟ ରଖିବାରେ ସର୍ବାଧିକ ୬ଟି ଟାଇଟଲ୍ ଜିତିସାରିଥିବା ଜର୍ମାନୀକୁ ବିଶେଷ କଷ୍ଟ କରିବାକୁ ପଡ଼ି ନ ଥିଲା । ଏଥିସହ ପ୍ରତିଯୋଗିତାର ଫାଇନାଲ୍ରେ ଆସନ୍ତା ୫ ତାରିଖ ରବିବାର ସନ୍ଧ୍ୟାରେ ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ଟାଇଟଲ୍ ମୁକାବିଲା ହେବ । ଦ୍ୱିତୀୟ ସେମିରେ ପ୍ରଥମାର୍ଦ୍ଧର ପଞ୍ଚମ ମିନିଟ୍ରେ ଜର୍ମାନୀକୁ ପ୍ରଥମ ପେନାଲ୍ଟି କର୍ପୂର୍ ମିଳିଥିଲା । କିନ୍ତୁ ଭାରତୀୟ ଗୋଲକିପର୍ ପ୍ରଶାନ୍ତ ଚୌହାନ୍ ଦଳକୁ ଅଗ୍ରଣୀ ନେବାର ସୁଯୋଗ ଦେଇ ନ ଥିଲେ । କିନ୍ତୁ ଏହି କ୍ୱାର୍ଟର୍ର ଶେଷ ମିନିଟ୍ ଖେଳରେ ମାତ୍ର ୨୫ ସେକେଣ୍ଡ୍ ବାକି ଥିବା ବେଳେ ଜର୍ମାନୀକୁ ଅଗ୍ରଣୀ ନେବାରେ ସକ୍ଷମ ହୋଇଥିଲା । ଦଳକୁ ମିଳିଥିବା ଦ୍ୱିତୀୟ ପେନାଲ୍ଟି କର୍ଡର୍କୁ ଗୋଲ୍ରେ ପରିଣତ କରିଥିଲେ ଏରିକ୍ କ୍ଲିନ୍ଲିନ୍ । ଅବଶ୍ୟ ୨୧ ସେକେଣ୍ଡ୍ ପରେ ଭାରତ ପାଖରେ ସ୍ଥିତି ସମାନ କରିବାର ସୁଯୋଗ ରହିଥିଲା । ଦଳକୁ ପ୍ରଥମ ପେନାଲ୍ଟି କର୍ପୂର୍ ମିଳିଥିଲା । କିନ୍ତୁ ସଞ୍ଜୟଙ୍କ ଶଟ୍କୁ ଜର୍ମାନ୍ ଡିଫେଣ୍ଡର୍ମାନେ ଅକାମୀ କରିଦେଇଥିଲେ । ପରେ ଦ୍ୱିତୀୟ କ୍ୱାର୍ଟର୍ରେ ଜର୍ମାନୀ ନିଜକୁ ଅପରାଜେୟ ଟିମ୍ ଭାବେ ପ୍ରତିପାଦିତ କରିଥିଲା । ଏହି କ୍ୱାର୍ଟରରେ ମାତ୍ର ୪ ମିନିଟ୍ ମଧ୍ୟରେ ଦଳ ୩ଟି ଗୋଲ୍ ଦେଇ ଭାରତର ଫାଇନାଲ୍ ଆଶାରେ ପାଣି ଭରିଦେଇଥିଲା । ୨୧ତମ ମିନିଟ୍ରେ ଫିଲିପ୍ ହୋଜମୁଲେର୍ ଓ ୨୪ତମ ମିନିଟ୍ରେ ହାନେସ୍ ମୁଲେର୍ ଫିଲ୍ଡ ଗୋଲ୍ ଦେଇଥିବା ବେଳେ ୨୫ତମ ମିନିଟ୍ରେ କ୍ରିଷ୍ଟୋଫର୍ କୁଟ୍ଟର୍ ପେନାଲ୍ଟି ଷ୍ଟ୍ରୋକ୍ରୁ ଦଳ ପାଇଁ ଚତୁର୍ଥ ଗୋଲ୍ ଅର୍ଜନ କରିଥିଲେ । ଅବଶ୍ୟ ଏହି ମିନିଟ୍ରେ ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ପ୍ରତିଯୋଗିତାରେ ତାଙ୍କର ତୃତୀୟ ଗୋଲ୍ ଦେଇଥିଲେ । ପରେ ଶେଷ ମିନିଟ୍ରେ ବବି ସିଂହ ଧମି ଭାରତ ପାଇଁ ଦ୍ୱିତୀୟ ଗୋଲ୍ ଦେଇଥିଲେ ହେଁ ଏହା କେବଳ ଦଳର ପରାଜୟକୁ ହ୍ରାସ କରିଥିଲା । ମାସି ପିଫାଣ୍ଟ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ତାଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରସ୍କୃତ କରିଥିଲେ । ଏହାଛଡ଼ା ମ୍ୟାଚ୍ ଆରମ୍ଭରେ ଓଡ଼ିଶା ମହାଲେଖାକାର ଅଶୋକ କୁମାର ପରିଜା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ । ଭାରତ ଆସନ୍ତା ରବିବାର ଫ୍ରାନ୍ସ ବିପକ୍ଷରେ ତୃତୀୟ ସ୍ଥାନ ପାଇଁ ଲଢ଼େଇ କରିବ ।