ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ବିକାଶ ଠୁ ଅପହଞ୍ଚରେ କୋରାପୁଟ ଜିଲ୍ଲା, ନନ୍ଦପୁର ବ୍ଲକ, ଗୋଲୁର ପଞ୍ଚାୟତ ଅନ୍ତର୍ଗତ ୧୧ନମ୍ବର ୱାର୍ଡର ଦୁଇ ଗ୍ରାମ ଚୁଆଫୁଲ ଓ ଗୁଞିଆଗୁଡା । ରାସ୍ତା ଘାଟ, ଶିକ୍ଷା ,ସ୍ବାସ୍ଥ୍ୟ, ରାସନ୍, ଭତ୍ତା, ପାଇଁ ଦୂର ଦୁରନ୍ତକୁ ଯିବାକୁ ପଡେ। ଆଉ ପାନୀୟ ଜଳ ମିଳିବା ବହୁ କଷ୍ଟକର। ଆବାସ ଯୋଜନାର ଅପହଞ୍ଚ ରେ ଜୀବନ କାଟୁଛନ୍ତି ଏଠାକାର ଲୋକେ। ପ୍ରଶାସନ ସତେ ଯେପରି ଏମାନଙ୍କ ଠାରୁ ଦୂରେଇ ଯାଇଛି। ପଞ୍ଚାୟତ, ବ୍ଲକ, ଜିଲ୍ଲା, ସରପଞ୍ଚ, ସମିତି ଓ ବିଧାୟକଙ୍କ ପାଇଁ ଯେମିତି ଏଠାକାର ବାସିନ୍ଦା ପର ହୋଇ ଯାଇଛନ୍ତି। ଏଠିକାର ଜନବାସୀ ମାନଙ୍କର କୌଣସି ସମସ୍ୟାର ସମାଧାନର ପନ୍ଥା ବାହାର କରୁନଥିବା ଅଭିଯୋଗ କରିଆସୁଛନ୍ତି । ଅଭିଯୋଗ ମୁତାବକ ଚୂଆଫୁଲ ଗ୍ରାମରେ ବସବାସ କରନ୍ତି ୩୮ ପରିବାର ର ୧୫୦ ରୁ ଉର୍ଦ୍ଧ ଗ୍ରାମବାସୀ। ସେହିଭଳି ଗୁଞିଆଗୁଡା ଗ୍ରାମରେ ୫୬ ପରିବାରର ୨୦୦ରୁ ଉର୍ଦ୍ଧ ଗ୍ରାମବାସୀ। ଗାଁ କୁ ଯିବାକୁ ହେଲେ ଡୁମୁରିଗୁଡ଼ା ଠାରୁ ୧ କିମି ପାହାଡ ତଳ କଣି ରାସ୍ତା ପରେ ଚୁଆଫୁଲ ଓ ସେଠାରୁ ୧କିମି ନଦୀ କୂଳର ବିଲ ପାର ହେଲେ ଗୁଞ୍ଜିଆଗୁଡ଼ା ଗ୍ରାମ।
ଦୁଇ ଗ୍ରାମର ମୁଖ୍ୟ ଅସୁବିଧା ହେଲା ପିଇବା ପାଇଁ ପାନୀୟ ଜଳ। ପୂର୍ବରୁ ଖୋଳାଯାଇଥିବା ସାନିଟାରୀ ନଳକୂପ ରେ ଆଉ ପାଣି ନାହିଁ। କୁଅ ସୁଖିଯିବାରୁ ନଳକୂପ ଅକାମୀ। ଚୁଆ ପାଣି ଭରସା। ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ଗାଁ ଠୁ ୧୮ କିମି ଦୂର ପାଡୁଆ ସ୍ବାସ୍ଥ୍ୟ କେନ୍ଦ୍ର, ୬ କିମି ଦୂର ଗୋଲୁର ପ୍ରାଥମିକ ବିଦ୍ୟାଳୟ ଓ ୧୫ କିମି ଦୂର ହାଟଗୁଡା ଉଚ୍ଚ ବିଦ୍ୟାଳୟ ଭରସା। ଭତ୍ତା ଓ ରାସନ୍ ପାଇଁ ଗୋଲୁର ପଞ୍ଚାୟତ କାର୍ଯ୍ୟାଳୟ। ଦେଢ଼ ଦଶନ୍ଧି ତଳେ ଗ୍ରାମର ୩ ଜଣକୁ ଇନ୍ଦିରା ଆବାସ ର ଆଜବେଷ୍ଟସ ଘର ମିଳିଥିଲା । ତା ପରଠୁ ଆଉ ଏହି ଯୋଜନାରେ କାହାରିକୁ ସାମିଲ କରାଯାଇ ନାହିଁ। ଚୁଆ ଫୁଲ ଗ୍ରାମରେ ୩ ଭିନ୍ନକ୍ଷମ ଓ ୨ ବୃଦ୍ଧ ବୃଦ୍ଧା ଭତ୍ତା ରୁ ବଞ୍ଚିତ। ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୧୮ କିମି ଦୂର ପାଡୁଆ ବ୍ୟାଙ୍କ୍ ଯିବାକୁ ପଡ଼େ। ଏଭଳି ଦୁର୍ଦ୍ଦଶା ମଧ୍ୟରେ ବିତୁଛି ଏଠିକାର ଲୋକଙ୍କର ଜୀବନ। ଏହା ବାବଦରେ ନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ଗୋଲୁର ପଞ୍ଚାୟତର ଉନ୍ନତି କରଣ ଚାଲିଛି। ଡୁମୁରିବାରି ଦେଇ ରାଇ ପାହାଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ। ମୁଖ୍ୟ ରାସ୍ତା ନିର୍ମାଣ ସରିଲେ ଛୋଟ ଛୋଟ ଗ୍ରାମ ଗୁଡ଼ିକର ଯୋଗାଯୋଗ ବ୍ୟବସ୍ଥା ପାଇଁ ରାସ୍ତା ନିର୍ମାଣ ଆରମ୍ଭ ହେବ। ରାସ୍ତା ନିର୍ମାଣ ହେଲେ ଅଧାରୁ ଅଧିକ ସମସ୍ୟା ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି। ଗାଁ କୁ ନଳକୂପ ଖନନ ନିମନ୍ତେ ଗାଡ଼ି ଗଲେ ହିଁ ନଳକୂପ ଖୋଳା ଯାଇ ପାରିବ। ୩ ଜଣ ଭିନ୍ନକ୍ଷମଙ୍କ ଭତ୍ତା ପାଇଁ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କହିଛନ୍ତି। ଦେଖାଯାଉ ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିଶ୍ରୁତି ଅନୁଯାୟୀ କେବେ ଏହି ଦୁଇ ଗ୍ରାମ ମୌଳିକ ସୁବିଧା ପାଇବାକୁ ଯୋଗ୍ୟ ହେବେ। (ରିର୍ପୋଟ:ବେଂକଟେଶ୍ୱର ରାଓ)