ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ପ୍ରଶାସନିକ ବୋର୍ଡ ( କାଭା ) ସଦସ୍ୟ ମନୋନୀତ ହୋଇଛନ୍ତି । ଗୁରୁବାର ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ ରେ ଅନୁଷ୍ଠିତ କାଭା କାର୍ଯ୍ୟକାରିଣୀ ବୈଠକରେ କାଭା ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଏହାର ପ୍ରଶାସନିକ ବୋର୍ଡ ସଦସ୍ୟ ମନୋନୀତ କରାଯାଇଛି । ୧୪ଟି ଦେଶର ଭଲିବଲ୍ ସଂଘର ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଅଚ୍ୟୁତ ସାମନ୍ତ ଙ୍କୁ ଭାରତୀୟ ଭଲିବଲ୍ ସଂଘର ସଭାପତି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଭାପତି ମହମ୍ମଦ ଲକ୍ଷ୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକକୁ ଏସୀୟ ଭଲିବଲ୍ ମହାସଂଘର ସଭାପତି ଶ୍ରୀମତୀ ରିତା ସୁବୱ ଉଦ୍ଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ଏସିଆରେ ଭଲିବଲ୍ ର ଉନ୍ନତି ନିମନ୍ତେ ବ୍ୟାପକ ଆଲୋଚନା ହୋଇଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ ବହୁମୁଖୀ ପ୍ରତିଭା ଏବଂ ବିଶେଷ କରି କ୍ରୀଡ଼ା ପ୍ରତି ତାଙ୍କର ଅବଦାନକୁ ବିଚାରକୁ ନିଆଯାଇ ତାଙ୍କୁ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଏସୀୟ ଭଲିବଲ୍ ମହାସଂଘର ମହାସଚିବ କିଆଟିପଙ୍ଗ , ଏସୀୟ ଭଲିବଲ୍ ମହାସଂଘର କେନ୍ଦ୍ରାଞ୍ଚଳ କାର୍ଯ୍ୟକାରୀ ଉପସଭାପତି ରାମାବତାର ସିଂହ ଝାକର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।
ଏହି ଅବସରରେ ୨୦୨୨ରେ ହେବାକୁ ଥିବା କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ ସିପ୍ ଭାରତକୁ ଦେବା ପାଇଁ ଶ୍ରୀ ସାମନ କାଭା କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ୨୦୨୨ରେ କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ ସିପ୍ ଭାରତରେ ହେବା ନିମନ୍ତେ କାଭା ନିଷ୍ପତ୍ତି ନେଇଥିଲେ । ଏଥିରେ ଖୁସି ବ୍ୟକ୍ତି କରିବା ସହ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ଭୁବନେଶ୍ବରରେ ଏହି ଚାମ୍ପିଅନ୍ ସିପ୍ ଆୟୋଜନ କରିବା ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ସୂଚନାଯୋଗ୍ୟ , କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ ସିପ୍ ରେ ଭାରତ ସମେତ ଇରାନ , ଶ୍ରୀଲଙ୍କା , ପାକିସ୍ତାନ , କାଜାକିସ୍ତାନ ଏବଂ ଚାମ୍ପିଅନ୍ ସିପ୍ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ପରବର୍ତୀ ସମୟରେ ଚାମ୍ପିଅନ୍ ସିପ୍ ର ତାରିଖ ଘୋଷଣା କରାଯିବ ବୋଲି କାଭା ପକ୍ଷରୁ କୁହାଯାଇଛି । ଡିସେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ବାଂଲାଦେଶର ଢାକାଠାରେ କାଭାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଶ୍ରୀ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଦସ୍ୟ ମନୋନୀତ ହେବା ପରେ ଭାରତୀୟ ଭଲିବଲ୍ ସଂଘର କର୍ମକର୍ତ୍ତାମାନେ ଖୁସି ବ୍ୟକ୍ତି କରିଛନ୍ତି । ନିଜ ପ୍ରତିକ୍ରୟାରେ ଶ୍ରୀ ସାମନ୍ତ କହିଲେ ମୁଁ ଚାହୁଁ ନଥିଲେ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ମୋର କାର୍ଯ୍ୟ ଓ କ୍ରୀଡ଼ା ପ୍ରତି ରହିଥିବା ଅବଦାନକୁ ବିଚାରକୁ ନେଇ କାଭା ମୋତେ ଏହାର ପ୍ରଶାସନିକ ବୋର୍ଡରେ ସଦସ୍ୟ ମନୋନୀତ କରିଛି । ଏଥ୍ ନିମନ୍ତେ ଶ୍ରୀ ସାମନ୍ତ କାଭାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।