ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅବପାତର ରୂପ ନେଇଛି । ଆଜି ରାତି ୯ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୧ ,୦୨୦ କିମି ଓ ପାରାଦୀପଠାରୁ ୧ ,୦୬୦ କିମି ଦୂରରେ ରହିଛି । ଗୁରୁବାର ବିଳମ୍ବିତ ରାତିରେ ଏହା ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ଏକ ସାମୁଦ୍ରିକ ଝଡ ରୂପ ନେବ । ତେଣୁ ଆଜି ମଧ୍ୟରାତ୍ରୀରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ଏହାର ମୁଖ୍ୟ ପ୍ରଭାବ ଆସନ୍ତା ୪ ଓ ୫ରେ ରହିବ । ଆଇଏମ୍ଡି ଦ୍ଵାରା ଜାରି ସୂଚନା ଅନୁସାରେ ସୃଷ୍ଟ ଅବପାତ ଏବେ ପଶ୍ଚିମ ଉତ୍ତର – ପଶ୍ଚିମ ଦିଗରେ ଗତିକରୁଛି । ପ୍ରଭାବରେ ଆଜି ମଧ୍ୟରାତ୍ରୀରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ତେବେ ଲଘୁଚାପ ପ୍ରଭାବରେ ପାଗ କୋହଲିଆ ରହିଛି। ଏହାପ୍ରଭାବରେ ଗଞ୍ଜାମ , ଗଜପତି , ଜଗତସିଂହପୁର , କେନ୍ଦ୍ରାପଡ଼ା , କୋରାପୁଟ ଓ ରାୟଗଡ଼ାରେ ବର୍ଷା ଆରମ୍ଭ ହେବ । ପରେ ୪ ତାରିଖରେ ବାତ୍ୟା ସ୍ଥଳଭାଗ ମୁହାଁ ହେବା ଗଜପତି , ପରେ ଗଞ୍ଜାମ , ପୁରୀ,ଜଗତସିଂହପୁରରେ ଭାରି ବର୍ଷା ହେବ । ଏନେଇ ଉକ୍ତ ଜିଲ୍ଲାକୁ ରେଡ୍ ଜୋନ୍ ଅନ୍ତଭୁକ୍ତ କରାଯାଇଥିବାବେଳେ ଜିଲ୍ଲାର ସ୍ଥାନେ ସ୍ଥାନେ ୨୦ ସେଣ୍ଟିମଟରରୁ ଊର୍ଦ୍ଧ୍ବ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ସେହି ୪ ତାରିଖରେ ୭ ଉପକୂଳ ତଥା ତସଲଂଗ୍ନ ଜିଲ୍ଲା ଖୋର୍ଦ୍ଧା , କଟକ , କେନ୍ଦ୍ରାପଡ଼ା , ନୟାଗଡ଼ , କନ୍ଧମାଳ , ରାୟଗଡ଼ା ଓ କୋରାପୁଟରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଉକ୍ତ ଜିଲ୍ଲାକୁ ଅରେଞ୍ଜ ୱାର୍ଡିଂ ଜାରିହୋଇଥିବାବେଳେ ବାକି ୪ ଉପକୂଳ ଜିଲ୍ଲା ମାଲକାନାଗିରି , ଯାଜପୁର , ଭଦ୍ରକ ଓ ବାଲେଶ୍ଵର ପାଇଁ ୟେଲୋ ୱାର୍ଡିଂ ଜାରି ହୋଇଛି । ସେହି ସମୟରେ ପବନର ବେଗ ୬୦ରୁ ୭୦ କିମି ବେଗରେ ରହିବା ସହ ଝଟକା ପବନ ୮୦ କିମି ବେଗରେ ହୋଇପାରେ । ଶନିବାର ସକାଳ ସୁଦ୍ଧା ଏହା ଆହୁରି ଘନିଭୂତ ହେବ । ଶନିବାର ମଧ୍ୟାହ୍ନ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ସେହି ସମୟରେ ପବନର ବେଗ ସମାନ୍ୟ ବଢ଼ି ୮୦ରୁ ୯୦ କିମି ଓ ଝଟକା ପବନର ବେଗ ୧୦୦ କିମି ଯାଏ ରହିବ । ୪ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ନିକଟରେ କେନ୍ଦ୍ରୀଭୂତ ହେବ । ପରେ ଏହା ଉତ୍ତର , ଉତ୍ତର – ପୂର୍ବ ଦିଗକୁ ନିଜ ଦିଗ ପରିବର୍ତ୍ତନ କରିବା ସହ ପଶ୍ଚିମବଙ୍ଗ ମୁହାଁ ହେବ । ୫ତାରିଖ ଆଡକୁ ଏହାର ପ୍ରଭାବ କ୍ରମଶଃ ହ୍ରାସ ପାଇବ।