ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ମଙ୍ଗଳବାର କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ । ଉଭୟ ସୁନାବେଡ଼ା ଏବଂ କୋରାପୁଟ ସଦର ମହକୁମ୍ମା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର ନିଜେ ସମୀକ୍ଷା କରିଛନ୍ତି ।କୋରାପୁଟ ଗସ୍ତ ଅବସରରେ ପ୍ରଥମେ କୋରାପୁଟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଦ୍ୱାରା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସୁନାବେଡ଼ା ଏବଂ କୋରାପୁଟ ଠାରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଦ୍ବାରା ନିର୍ମାଣ ଚାଲିଥିବା ଆଦର୍ଶ ଶ୍ମଶାନ ଗୁଡିକ ବୁଲି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏଠାରେ କିଭଳି ଯୁଦ୍ଧ କାଳୀନ ଭାବରେ ନିର୍ମାଣ କାର୍ଯ୍ୟ ସରିବ ଏନେଇ ପୌର କାର୍ଯ୍ୟକାରୀ ଅଧିକାରୀ ଙ୍କ ସହ ଆଲୋଚନା କରିବା ସହ ପରେ କୋରାପୁଟ ଠାରେ ନିର୍ମିତ ସ୍ମାର୍ଟ ପାର୍କ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।
ସମୀକ୍ଷା ସମୟରେ ମଧ୍ୟ ଉଭୟ ସ୍ଥାନରେ ପୌର ପ୍ରଶାସନର କାର୍ଯ୍ୟକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ସାହୁ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ସୁନାବେଡ଼ା ଏବଂ କୋରାପୁଟ ପୌରାଞ୍ଚଳର ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏହି ଦୁଇଟି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ଅବସରରେ ପ୍ରକାଶ କରିଥିଲେ ଅଧ୍ୟକ୍ଷ ଶ୍ରୀ ସାହୁ। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଏକ ସଂସ୍ଥା ଯାହା ବିକାଶ ପ୍ରକିୟାରେ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଗୁଡ଼ିକୁ ସାମିଲ କରି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଅଶି ଦଶକରୁ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ରାଜ୍ୟର ଅନେକ ଜିଲ୍ଲାରେ ବର୍ତ୍ତମାନ ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଗାମୀ ଦିନରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମକୁ ଆଗକୁ ନେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ।