ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଗକୁ ଆସୁଛି ଲଘୁଚାପ ଯାହା ପାଇଁ ବର୍ତ୍ତମାନ ପାଗ କୋହଲା ରହୁଛି। ରାଜ୍ୟରେ ତାପମାତ୍ରା ମଧ୍ୟ ଖସିବାର ଲାଗିଛି। ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୨ ସହର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ଶୁଖୁଲା ରହିବା ସହ ସୁଲୁସୁଲିଆ ପବନ ବହୁଛି। ଫଳରେ ପ୍ରାୟ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇଛି । ରାଜ୍ୟର ସମତଳ ଅଞ୍ଚଳ ଭିତରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିବାବେଳେ ପାହାଡ଼ୀ ଅଞ୍ଚଳରେ ଏହା ୯ ଡିଗ୍ରୀ ନିକଟତର ରହିଛି। ୧୨ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ପାରଦ ୧୨ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୩ ଡିଗ୍ରୀ ରହିଛି । ସେହିପରି ଟିଟଲାଗଡ଼ରେ ୧୫ ଡିଗ୍ରୀ , ସୋନପୁରରେ ୧୪ ଡିଗ୍ରୀ , କେନ୍ଦୁଝରରେ ୧୪ ଡିଗ୍ରୀ , ଝାରସୁଗୁଡ଼ାରେ ୧୩ ଡିଗ୍ରୀ , ହୀରାକୁଦରେ ୧୩.୪ , ଭବାନୀପାଟଣାରେ ୧୩.୫ , ଅନୁଗୁଳ ୧୩.୬ , ସମ୍ବଲପୁର ୧୩.୭ , ବଲାଙ୍ଗିରରେ ୧୪.୫ ଡିଗ୍ରୀ ଥିବାବେଳେ ଚାନ୍ଦବାଲିରେ ପାରଦ ୧୪.୬ ଡିଗ୍ରୀ ରହିଛି । ଏହାବାଦ୍ କଟକ , ଭୁବନେଶ୍ୱର , ତାଳଚେର , କୋରାପୁଟରେ ପାରଦ ୧୫ ଡିଗ୍ରୀ ରହିଥିବା ନଜରକୁ ଆସିଛି । ସବୁ ଅଞ୍ଚଳରେ ପାରଦ ଖସିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାବେଳେ ଆଉ ୨ ଦିନ ରାଜ୍ୟରେ ପାରଦ ତଳମୁହାଁ ରହିବ । ପରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟରେ ରାତି ପାରଦକୁ ପୁଣି ଉପରକୁ ନେବା ସହ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।