ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ବୁଧବାର ଆରମ୍ଭ ହେବ ଜୁନିୟର ହକି ବିଶ୍ୱକପ୍ । ତା’ପୁଣି ବିନା ଦର୍ଶକରେ । ଏନେଇ କମିଶନରେଟ୍ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଖେଳାଳିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା ହୋଇଛି । ଏହା ଛଡା ଅତିରିକ୍ତ ପୁଲିସ୍ କମିଶନର , ଡିସିପି , ୪ଜଣ ଆଡିସିନାଲ୍ ଡିସିପି , ୮ ଜଣ ଏସିପି , ୧୪ ଜଣ ଇନ୍ସପେକ୍ଟର , କିୟୁ ଆରଟି ଟିମ୍ , ସ୍ପେଶାଲ ବ୍ରାଞ୍ଚର ସ୍ୱତନ୍ତ୍ର ପାକିସ୍ତାନ ଖେଳ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମଙ୍ଗଳବାର ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ଉପସ୍ଥିତ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଖେଳାଳି ମାନଙ୍କ ହୋଟେଲ ରହଣି , ଭ୍ରମଣ ବେଳେ କେମିତି ସୁରକ୍ଷା ଦିଆ ଯିବ ସେ ବିଷୟରେ କ୍ରୀଡ଼ା ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ତେବେ ଆଜି ଠାରୁ ଦୁଲୁକିବ କଳିଙ୍ଗ ଷ୍ଟାଡିୟମ। ଖେଳାଳିଙ୍କ ଯିବା ଆସିବା ବାଟରେ ସିସିଟିଭି ବ୍ୟବସ୍ଥାର ଅବସ୍ଥା ଯାଞ୍ଚ କରା ଯାଇଛି । କଳିଙ୍ଗ ଷ୍ଟାଡିୟମ ଭିତରେ ଓ ବାହାରେ ୮୦ରୁ ଅଧିକା ସିସି ଟିଭି କ୍ୟାମେରା ଲାଗିଛି । ସେଥିପାଇଁ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ଖୋଲିଛି । ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଅଛନ୍ତି ଜଣେ ଇନ୍ସପେକ୍ଟରଙ୍କ ସହ ୫ କର୍ମଚାରୀ । ଖେଳାଳି ରହୁଥିବା ହୋଟେଲ , ସେମାନେ ଷ୍ଟାଡିୟମକୁ ଆସିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ନ ହୁଏ , ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶ୍ଵକପ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ସମୟ ଭିତରେ ଯେପରି ଜନତା ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହେବ । ଖେଳାଳି , କର୍ମକର୍ତ୍ତା , ବିଶିଷ୍ଟ ବ୍ୟକ୍ତିଙ୍କ ଯାତାୟାତ ବେଳେ କଳିଙ୍ଗ ଷ୍ଟାଡିୟମ୍ ସଂଲଗ୍ନ ରାସ୍ତା ବିଭିନ୍ନ ସମୟରେ କିଛି ସମୟ ପାଇଁ ବନ୍ଦ ରହିବ । ତା’ଛଡ଼ା ଖେଳାଳିଙ୍କ ରହଣି ସ୍ଥାନରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ମଧ୍ୟ ରହିବ ।